କନକ ବ୍ୟୁରୋ : ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ ମସିହାଠାରୁ ପ୍ରତିବର୍ଷ ମେ’ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି, ‘ତମାଖୁ ବ୍ୟବହାର ଛାଡନ୍ତୁ’ ଓ ‘ପୃଥିବୀର ପରିବେଶକୁ ରକ୍ଷା କରନ୍ତୁ’ । ଏହି ଦିବସ ପାଳନର ଆଭିମୁଖ୍ୟ ହେଉଛି ଲୋକଙ୍କୁ ତମାଖୁ ଜନିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ସେବନକୁ ବନ୍ଦ କରିବା ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ତଥ୍ୟ ଅନୁସାରେ ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମାଖୁର ସେବନ କରୁଛନ୍ତି । ବିଡି ଓ ସିଗାରେଟର ବ୍ୟବହାର ଦ୍ୱାରା ପରିବେଶ ବହୁତ ପ୍ରଦୁଷିତ ହୋଇଥାଏ । ତମାଖୁ ସେବନ ଦ୍ୱାରା ବିଭିନ୍ନ ରୋଗରେ ଲୋକମାନେ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥାନ୍ତି ।
ତମାଖୁ ସେବନ ଦ୍ବାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସଂପର୍କରେ ସତେତନତା ସୃଷ୍ଟି ଲାଗି ଏହି ଦିବସକୁ ପାଳନ କରାଯାଉଛି । ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୪୨.୭ ପ୍ରତିଶତ ଲୋକ କୌଣସି ପ୍ରକାର ତମାଖୁ ସେବନ କରୁଛନ୍ତି । କିଛି ବର୍ଷ ପୂର୍ବରୁ ହୋଇଥିବା ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ବା ଜିଏଟିଏସ୍ରେ ରାଜ୍ୟରେ ୭ ପ୍ରତିଶତ ଲୋକ ଧୂମପାନ କରୁଥିବା ବେଳେ ୪୨.୯ ପ୍ରତିଶତ ଧୂମହୀନ ତମାଖୁ ସେବନ କରୁଛନ୍ତି । ରାଜ୍ୟରେ ୧୦ବର୍ଷରୁ ପିଲାମାନେ ତମାଖୁ ସେବନ ଆରମ୍ଭ କରୁଥିବା ସର୍ଭେରୁ ଜଣାପଡ଼ିଛି ।
ବିଶ୍ୱ ତମାଖୁ ବର୍ଜନ ଦିବସରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସଚେତନତାଧର୍ମୀ ବାଲୁକା କଳା କରିଛନ୍ତି । ଏଥିରେ ନିୟମିତ ସିଗାରେଟ୍ ଟାଣୁଥିବା ଲୋକର ଶେଷ ପରିଣାମ କ’ଣ ହୋଇଥାଏ ତାହା ଦର୍ଶାଯାଇଛି । ତମାଖୁ ସେବନ ମୁଖ କର୍କଟ ରୋଗର ପ୍ରଧାନ କାରଣ ହୋଇଥାଏ ବୋଲି ବାଲୁକା କଳାରେ ବିଶ୍ୱବାସୀଙ୍କୁ ସଚେତନ କରାଇଛନ୍ତି ।