କନକ ବ୍ୟୁରୋ: ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟେନିସ୍ ତାରକା ତଥା ବିଶ୍ୱର ୧ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ୍ ଖେଳାଳି ଆସଲି ବାର୍ଟି ପେସାଦାର ଟେନିସରୁ ସନ୍ନ୍ୟାସ ନେଇଛନ୍ତି । ତାଙ୍କର ଏପରି ନିଷ୍ପତ୍ତି ଅଗଣିତ ଟେନିସ୍ ଖେଳାଳିଙ୍କୁ ସ୍ତବ୍ଧ କରିଛି । ବିଶ୍ୱର ଚତୁର୍ଥ ମହିଳା ଖେଳାଳି ଭାବେ କ୍ରମାନ୍ୱୟରେ ୧୧୪ ସପ୍ତାହ ଧରି ଡବ୍ଲଟିଏ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ବାର୍ଟି ।
କ୍ୟାରିଅର ମଧ୍ୟରେ ଯଥେଷ୍ଟ ସଫଳତା ଅର୍ଜନ କରିପାରିଛନ୍ତି ବାର୍ଟି । ହେଲେ ଏବେ ଆଉ ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କ ପାଖରେ ଶରୀରିକ ଓ ମାନସିକ ଉତ୍ସାହ ନଥିବା ଯୋଗୁଁ ସେ ଟେନିସର୍ରୁୁ ସନ୍ନ୍ୟାସ ନେଉଥିବା ଦର୍ଶାଇଛନ୍ତି । ଗତ ଜାନୁଆରୀ ମାସରେ ବାର୍ଟି ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ ଜିତି ଇତିହାସ ରଚିଥିଲେ । ଦୀର୍ଘ ୪୪ ବର୍ଷ ପରେ ପ୍ରଥମ ଆଷ୍ଟ୍ରେଲିୟ ଭାବେ ଘରୋଇ ମାଟିରେ ଗ୍ରାଣ୍ଡସ୍ଲାମ ଜିତି ସେ ଅନନ୍ୟ ସଫଳତା ଅର୍ଜନ କରିଥିଲେ । ଏହା ବାର୍ଟିଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ଥିଲା ।
ବାର୍ଟି ନିଜ କ୍ୟାରିଅରରେ ୧୫ଟି ସିଙ୍ଗିଲ୍ସ ଓ ୧୨ଟି ଡବଲ୍ସ ଟାଇଟଲ ହାସଲ କରିଛନ୍ତି । କ୍ୟାରିଅର ମଧ୍ୟରେ ସେ ମୋଟ ୩୦୫ଟି ସିଙ୍ଗଲ୍ସ ମ୍ୟାଚ୍ ଜିତିଛନ୍ତି । ସେହିପରି ଡବଲ୍ସରେ ୨୦୦ଟି ମ୍ୟାଚ୍ ଜିତିଥିବାବେଳେ ୬୪ଟି ମ୍ୟାଚରେ ପରାଜିତ ହୋଇଛନ୍ତି । ବାର୍ଟି କ୍ରମାଗତ ୧୪୪ ସପ୍ତାହ ଧରି ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ।