ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୨ ଦିନିଆ ପୋଲାଣ୍ଡ ଗସ୍ତରେ ବାଇଡେନ୍ । କହିଲେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ ।

178

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ବାଇଡେନ କହିଛନ୍ତି, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାର କୌଣସି ଯଥାର୍ଥ କାରଣ ନାହିଁ । ଏଥିସହ ଏଣିକି ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ କହିଛନ୍ତି ନାଟୋ ଦେଶର ସୁରକ୍ଷା ପାଇଁ ଆମେରିକା ଲଢେଇ ଜାରି ରଖିବ । ୟୁକ୍ରେନକୁ ସବୁ ପ୍ରକାର ସହାୟତା କରିବ ଆମେରିକା । ଏହାଛଡା ସାମରିକ ସହାୟତା ପାଇଁ ଆମେରିକୀୟ ସୈନ୍ୟ ପୋଲାଣ୍ଡରେ ରହିବେ ବୋଲି କହିଛନ୍ତି ବାଇଡେନ ।

ସେହିପରି ୟୁକ୍ରେନକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାଛଡା ୟୁକ୍ରେନ ଉପରେ ଆକ୍ରମଣ କରି ରୁଷ ମଧ୍ୟ ଦୁର୍ବଳ ହୋଇପଡିଛି । ପୁଟିନଙ୍କ ସାମରିକ ରଣନୀତି ସଂପୂର୍ଣ୍ଣ ଫେଲ ମାରିଥିବା କହିଛନ୍ତି, ଆମେରିକା ରାଷ୍ଟ୍ରପତି । ଦୁଇ ଦିନିଆ ପୋଲାଣ୍ଡ ଗସ୍ତ ଅବସରରେ ବାଇଡେନ୍ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କୁଲେବା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରେଜିନିକୋଭଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ବେଳେ ବର୍ତମାନର ସ୍ଥିତି, ରାଜନୈତିକ ସ୍ଥିତି ବାବଦରେ ଆଲୋଚନା ହୋଇଛି । ଏହା ପରେ ସେ ପୋଲାଣ୍ଡରେ ଥିବା ୟୁକ୍ରେନ ଶରଣାର୍ଥୀଙ୍କୁ ଭେଟିବା ସହ ପୁଟିନଙ୍କୁ କଂସେଇ ବୋଲି କହିଛନ୍ତି । ସେପଟେ ବାଇଡେନଙ୍କ ବୟାନକୁ ନେଇ ଆପତି ଜାହିର କରିଛି ରୁଷ । କହିଛି, ବାଇଡେନ୍ ଦୁଇ ଦେଶ ମଧ୍ୟରେ ଦୂରତାକୁ ବଢାଉଛନ୍ତି ।