ସୋନଭଦ୍ରରୁ ସୁନା ବାହାରିବ, ଦେଶର ଭାଗ୍ୟ ବଦଳିବ? କିନ୍ତୁ ସୁନା ଖଣି ଅଞ୍ଚଳରେ ବୁଲୁଛନ୍ତି ବିଷଧର ସାପ, କିଭଳି ଖୋଳାହେବ ଚିନ୍ତାରେ ସରକାର?

12,227

ଦେଶକୁ ସୁନା କରିଦେବ ସୋନଭଦ୍ର । ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ପାହାଡ ତଳେ ୩ ହଜାର ଟନର ସୁନା ଭଣ୍ଡାର ଥିବା ଜଣା ପଡିବା ପରେ ପୂରା ଦେଶ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ହେଉଛି । କୁହାଯାଉଛି ଏହି ସୁନା ଭଣ୍ଡାର ଦେଶର ଭାଗ୍ୟ ବଦଳାଇଦେବ । ଏପରିକି ଏହି ସୁନା ଖଣିରୁ ସୁନା କାଢିବା ପାଇଁ ସରକାର ଲିଜ୍ ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏଠାରୁ ମାଟି ଖୋଳି ସୁନା ଉତ୍ତୋଳନ କରିବା ଏତେ ସହଜ ହୋଇନପାରେ । କାରଣ ଏହି ସୁନା ଖଣିର ଚାରିପାଶ୍ୱର୍ରେ ବହୁ ସଂଖ୍ୟାରେ ବିଷଧର ସାପ ବୁଲୁଥିବାର ଜଣାପଡିଛି । ଏହି ଖଣି ପାଖରେ ହଜାର ହଜାର ସଂଖ୍ୟାରେ ସାପ ଥିବାରୁ ଅଧିକାରୀ ମାନେ ମଧ୍ୟ ସେଠାକୁ ଯିବାକୁ ଭୟ କରୁଛନ୍ତି ।

ସୁନା ମାଇନ୍ସ ଥିବା ସ୍ଥାନରେ ସାରା ବିଶ୍ୱରେ ଦେଖା ଦେଉଥିବା ବିଷଧର ସାପଙ୍କ ମଧ୍ୟରୁ ୩ ପ୍ରଜାତିର ସାପଙ୍କ ଚଳପ୍ରଚଳ ଏଠାରେ ଦେଖିବାକୁ ମିଳୁଛି । ନାଗ, ଚିତି ଓ ବୋଡା ଭଳି ବିଷଧର ପ୍ରଜାତିର ସାପ ଗୁଡିକ ଏହି ସୁନା ଖଣିର ଚାରିପାଖରେ ପ୍ରବଳ ମାତ୍ରାରେ ଥିବା ଜଣାପଡିଛି । ତେଣୁ ଏଠାରେ ପାଦ ପକାଇବାକୁ ମଧ୍ୟ ଅଧିକାରୀ ମାନେ ଭୟ କରୁଛନ୍ତି । ତେଣୁ ଏଠାରୁ କିଭଳି ସୁନା ଉତ୍ତୋଳନ କରାଯିବ ତାହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଠାରେ କେତେ ସଂଖ୍ୟାରେ ସାପ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଖଣି ଉତ୍ତୋଳନ ପୂର୍ବରୁ ବନ ବିଭାଗ ପକ୍ଷରୁ ଏନଓସି ପ୍ରମାଣପତ୍ର ଦିଆଯିବା ସମୟରେ ବାସ୍ତବରେ କେତେ ସଂଖ୍ୟାରେ ବିଷଧର ସାପ ରହିଛନ୍ତି ସେ ବାବଦରେ ତଥ୍ୟ ସାମ୍ନାକୁ ଆସିବ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ମୁତାବକ ସୋନଭଦ୍ର ଜିଲ୍ଲାର ହରଦି ଅଞ୍ଚଳରେ ୬୪୬.୧୫ ଟନ ସୁନା ଥିବାବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ ସୁନା ମହଜୁଦ ହୋଇ ରହିଛି । ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି ।

ସ୍ୱର୍ଣ୍ଣ ଭଣ୍ଡାରରୁ ସୁନା ଉତ୍ତୋଳନ ପୂର୍ବରୁ ପୂରା ଅଞ୍ଚଳର ଜିଓ ଟ୍ୟାଗିଂ କରାଯିବା ସହ ଆକାଶପଥରୁ ମଧ୍ୟ ସର୍ବେକ୍ଷଣ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୨ଟି ହେଲିକପ୍ଟର ଯୋଗାଇ ଦେଇଛନ୍ତି । ଆକାଶପଥରୁ ସର୍ବେକ୍ଷଣ କରିବା ପଛର ବଡ କାରଣ ହେଉଛି, ସୁନା ଭଣ୍ଡାର ଯଦି ବନ ବିଭାଗର ଜମିରେ ଥିବ ତେବେ ଯେଉଁ କମ୍ପାନି ଏହାର ନିଲାମ ଧରିବ ତାକୁ ବନ ବିଭାଗ ପକ୍ଷରୁ ଏନଓସି ଅନୁମତି ଆଣିବାକୁ ପଡିବ ।

ଏବେ ଭାରତ ପାଖରେ ମୋଟ ୬୨୬ ଟନର ସୁନା ଭଣ୍ଡାର ରହିଛି । କିନ୍ତୁ ସୋନଭଦ୍ର ଅଞ୍ଚଳରେ ଠାବ କରାଯାଇଥିବା ଭଣ୍ଡାରରେ ୫ ଗୁଣା ଅଧିକ ସୁନା ରହିଥିବା ଅନୁମାନ କରାଯାଉଛି । ଏହି ସୋନଭଦ୍ର ସୁନା ଖଣି ପାଇଁ ଦେଶର ଜିଡିପିରେ ମଧ୍ୟ ସୁଧାର ଆସିବ ବୋଲି କୁହାଯାଉଛି । ଆଉ ଯଦି ଏଭଳି ହୁଏ ତେବେ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଇକୋନୋମିର ଯେଉଁ ସ୍ୱପ୍ନ ସରକାର ଦେଖିଛନ୍ତି ତାହା ପୂରା ହୋଇପାରିବ ବୋଲି କୁହାଯାଉଛି ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟକୁ ଖଣ୍ଡନ କରିଛି ଭାରତୀୟ ଜିଓଲୋଜିକାଲ୍ ବିଭାଗ । ଜିଓଲୋଜିକାଲ ସର୍ଭେ ଅପ୍ ଇଣ୍ଡିଆ ପକ୍ଷରୁ ଆଜି କୁହାଯାଇଛି ଯେ, ସୋନଭଦରେ ୩ ହଜାର ଟନ୍ ସୁନା ଥିବା ନେଇ ସଂପର୍କରେ ବିଭାଗ ପକ୍ଷରୁ କୁହାଯାଇନାହିଁ । ସୁନା ସଂପର୍କରେ ଜିଓଲୋଜିକାଲ ସର୍ଭେ ଅପ୍ ଇଣ୍ଡିଆର କେହି କହିନାହାଁନ୍ତି ବୋଲି ଜିଓଲୋଜିକାଲ ସର୍ଭେ ଅପ୍ ଇଣ୍ଡିଆର ମହାନିର୍ଦ୍ଦେଶକ ପିଟିଆକୁ ସୂଚନା ଦେଇଛନ୍ତି । ବଡ଼ କଥା ହେଉଛି- ଗତକାଲି ଯାଏଁ ପ୍ରାୟ ୧୨ ଲକ୍ଷ କୋଟିର ସୁନା ସୋନଭଦ୍ର ଖଣିରେ ଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଜିଓଲୋଜିକାଲ ସର୍ଭେ ଅପ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ଖଣିରୁ ୧୬୦ କେଜି ଓଜନର ସୁନା ମିଳିବ ବୋଲି ଅନୁମାନ କରାଯାଉଛି ।