ସୁନା ଓ ହୀରାର ପାଉଡରେ ପ୍ରସ୍ତୁତ ହୋଇଛି ଏହି ସାବୁନ, ଗୋଟିଏ ସାବୁନର ଦାମରେ କିଣିପାରିବେ ଗୋଟିଏ କାର

165

କନକ ବ୍ୟୁରୋ : ଏବେ ପ୍ରତିଟି ପରିବାରରେ ଲୋକେ ଗାଧୋଇବା ବେଳେ ସାବୁନ ବ୍ୟବହାର କରିଥାନ୍ତି । ଏହାସହ ଲୁଗା ସଫା କରିବା ପାଇଁ ଅନେକ ଲୋକ ସାବୁନକୁ ପଶନ୍ଦ କରିଥାନ୍ତି । ଆମେମାନେ ବ୍ୟବହାର କରୁଥିବା ସାବୁନର ଦାମ ୧୫ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ ହୋଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି କିଛି ସାବୁନ ରହିଛି କି ଗୋଟିଏ ସାବୁନ ବଦଳରେ ଆପଣ ଗୋଟିଏ କାର କିଣିପାରିବେ   ।

ବିବିସିର ରିପୋର୍ଟ ମୁତାବକ ଲେବନାନର ତ୍ରିପୋଲୀରେ ଏକ ପ୍ରକାର ସାବୁନ ପ୍ରସ୍ତୁତ କରାଯାଇଥାଏ । ଏହି ସାବୁନକୁ ବଡର ହସନ ଆଣ୍ଡ ସନ୍ସ ପରିବାର ପ୍ରସ୍ତୁତ କରିଥାଏ । ପ୍ରସ୍ତୁତ ସରିବା ପରେ ଏହି ସାବୁନ ଖାନ ଏ୧ ସାବୁନ ନାମରେ ବିକ୍ରି କରାଯାଇଥାଏ । ଏହି ପରିବାର ଦାମି ସାବୁନ ପ୍ରସ୍ତୁତ କରିବା ସହ ସ୍କିନ କେୟାର ପ୍ରଡକ୍ଟ ବି ପ୍ରସ୍ତୁତ କରିଥାଏ । ଯେଉଁଥିରେ ଶୁଦ୍ଧ ପଦାର୍ଥ ବ୍ୟବହାର କରାଯାଇଥାଏ ।

ଏହି ସାବୁନ ପ୍ରସ୍ତୁତ କରିବା ବେଳେ ସାବୁନରେ ୧୭ ଗ୍ରାମ ସୁନା ପାଉଡର ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ କିଛି ଗ୍ରାମର ହୀରା ପାଉଡର, କିଛି ଶୁଦ୍ଧ ଅଲିଭ ଅଏଲ, ଜୈବିକ ମହୁ ଓ ଖୁଜୁରୀ ବି ବ୍ୟବହାର କରାଯାଇଥାଏ । ଏହି ସାବୁନରେ ସୁନା ଓ ହୀରାର ପାଉଡର ବ୍ୟବହାର କରାଯାଉଥିବାରୁ ଏହା ଦୁନିଆର ସବୁଠାରୁ ଦାମି ସାବୁନ ବୋଲି ଗଣାନା କରାଯାଏ । ଏହି ସାବୁନର ବର୍ତମାନ ଦାମ ରହିଛି ୨.୮୦୦ ଡଲାର ବା ୨ ଲକ୍ଷ ଟଙ୍କା ।

ସାବୁନ ପ୍ରସ୍ତୁତ କରୁଥିବା ଏହି ବଡର ହସନ ଆଣ୍ଡ ସନ୍ସ ପରିବାର ଦାବି କରନ୍ତି କି ଏହି ସାବୁନରେ ସୁନା ଓ ହୀରା ବ୍ୟବହାର ହେଉଥିବାରୁ ଏହାକୁ ବ୍ୟବହାର କରୁଥିବା ଲୋକକୁ ଆଧ୍ୟାତ୍ମିକ ଓ ମାନସିକ ଶାନ୍ତି ମିଳିଥାଏ । ସେମାନଙ୍କର ଏଭଳି ଦାବି ଉପରେ କୌଣସି ସ୍ପଷ୍ଟତା ଆସିନାହିଁ । ଏହି ସାବୁନକୁ ଅନେକ ସେଲିବ୍ରେଟି ଓ ଆରବି ବ୍ୟବସାୟୀମାନେ କିଣୁଥିବାର ଜଣାପଡିଛି । ବିଶେଷକରି ଦୁବାଇରେ ରହୁଥିବା ଧନୀଶ୍ରେଣୀର ଲୋକେ ଏହି ସାବୁନ ପାଇଁ ଅଗ୍ରୀମ ଦେଇଥାନ୍ତି ।