ମୋବାଇଲ ଠାରୁ ବ୍ୟାଙ୍କ କାରବାର, ଅଫିସ୍ ଠାରୁ ସୋସିଆଲ ମିଡିଆ ସବୁଠି ଛାଇ ରହିଥିବା ଇଣ୍ଟରନେଟ୍ ର ଆଜି ଜନ୍ମ ଦିବସ

151

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ବି ଅକ୍ଟୋବର ମାସ ୨୯ ତାରିଖକୁ ବିଶ୍ୱ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କୁହାଯାଇଛି କି କରୋନା କାଳରେ ସବୁଠାରୁ ଅଧିକ ଇଣ୍ଟରନେଟ୍ ଲୋକମାନେ ବ୍ୟବହାର କରିଛନ୍ତି । ଇଣ୍ଟରନେଟ ବ୍ୟବହାରରେ ଉଭୟ ସକାରାତ୍ମକ ଓ ନକରାତ୍ମକ ଦିଗ ରହିଛି । ହେଲେ ଏହି ଇଣ୍ଟରନେଟ୍ ମଣିଷର ଜୀବନଶୈଳୀକୁ ସରସ ଓ ସରଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଜିକା ଦିନରେ ପ୍ରତିଟି ମଣିଷ ପାଇଁ ଇଣ୍ଟରନେଟ୍ ର ଆବଶ୍ୟକତା ଖାଦ୍ୟ ର ଆବଶ୍ୟକତା ଭଳି ହୋଇଯାଇଛି । ଏହାସହ ଇଣ୍ଟରନେଟ୍ ର ଅନେକ ନକରାତ୍ମକ ପ୍ରଭାବ ରହିଥିବା ବି ବିଗତ ଦିନ ମାନଙ୍କରେ ପ୍ରମାଣିତ ହୋଇଛି । ତେବେ ଆଜି ମଣିଷ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ଇଣ୍ଟରନେଟ୍ ଯୁକ୍ତରଷ୍ଟ୍ରେ ଆମେରିକା ଦ୍ୱାରା ୧୯୬୦ ମସିହାରେ ଆରମ୍ଭ ହୋଇଥିଲା ଓ ୧୯୭୦ ମସିହା ଯାଏଁ ଏହା ଉପରେ ଗବେଷଣା ଓ ପର୍ଯ୍ୟବେକ୍ଷଣ କରାଯାଇଥିଲା ।

କରୋନା ମହାମାରୀ ବେଳେ ଭାରତ ସହିତ ସାରା ବିଶ୍ୱର ଲୋକଙ୍କ ପାଇଁ ସାହାରା ପାଲଟିଛି ଇଣ୍ଟରନେଟ୍ । ଲକଡାଉନ ଓ ସଟଡାଉନ ବେଳେ ଘରେ ବନ୍ଦୀ ହୋଇ ରହିଥିବା ଲୋକମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନଙ୍କର ଦିନ କାଟୁଛନ୍ତି । କିଏ ନିଜ ଅଫିସର କାମ ଘରେ ରହି କରିପାରୁଛି ତ କିଏ ଘରେ ରହି ଇଣ୍ଟରନେଟ ମାଧ୍ୟମରେ ନିଜର ବାଣିଜ୍ୟ ଚଳାଇଛି । ସବ ଠାରୁ ବଡ କଥା କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ୍ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ପାଠ ପଢି ପାରୁଛନ୍ତି । କେହି କେହି ଇଣ୍ଟରନେଟ୍ ମାଧ୍ୟମରେ ସିନେମା ଓ ନ୍ୟୁଜ୍ ଦେଖି ଦେଶ ବିଦେଶର ଖବର ରଖିବା ସହ ନିଜର ବଳକା ସମୟ କାଟୁଛନ୍ତି । ହୋଇଥିବା ଏକ ସର୍ବେକ୍ଷଣର ରିପୋର୍ଟ ମୁତାବକ ମନୋରଞ୍ଜନ, ବ୍ୟବସାୟ, ଠାରୁ ଆରମ୍ଭ କରି ଚାକିରୀ ଖୋଜିବା ଏବଂ ଆର୍ଥିକ କାରବାର ପାଇଁ ପ୍ରତ୍ୟେକ ଘରେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର କରାଯାଉଛି ।

ଅନ୍ୟପଟେ ସାରା ବିଶ୍ୱ ଏବେ ଇଣ୍ଟରନେଟର କବଳରେ କବଳିତ । ଏହାକୁ ଅନେକ ସ୍ଥଳରେ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ବି କରାଯାଉଛି । ଯାହାକୁ ନେଇ ଚିନ୍ତାରେ ସରକାର ରହିଛନ୍ତି । ଗୋଟିଏ ପଟେ ଏଥିରୁ ଲୋକମାନଙ୍କୁ କାମ କରିବା ପାଇଁ ଅଧିକ ସହଯୋଗ ମିଳୁଥିବା ବେଳେ ଏହା ଦ୍ୱାରା ପିଲାମାନେ ଅଳସୁଆ ହୋଇଯାଉଥିବା ବି ଦେଖିବାକୁ ମଳୁଛି । କମ ବୟସରେ ଏହି ମୋବାଇଲ ଓ ଇଣ୍ଟରନେଟ୍ ମାୟାରେ ପଡି ପାଠ ପଢା ପ୍ରତି ଅବହେଳା କରୁଛନ୍ତି । ଅନ୍ୟପଟେ ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବି ଦେଖିବାକୁ ମଳୁଛି । ଯେମିତି କି ଅନ୍ ଲାଇନ୍ ଠକେଇ, ବ୍ୟାଙ୍କ ଲୁଟ୍ ଇତ୍ୟାଦି । ଇଣ୍ଟରନେଟ୍ ର ବିଭିନ୍ନ ସାଇଟ୍ ରେ ଥିବା ଅଶ୍ଳୀଳ ଭିଡିଓ ଦେଖି ବି ଯୁବ ସମାଜ ପଥଭ୍ରାନ୍ତ ହେଉଛି । ହେଲେ ଇଣ୍ଟରନେଟ୍ ମାନବ ସଭ୍ୟତା ବିକାଶରେ ଯେତିକି ସହାୟତା ହେଉଛି ତା ଠାରୁ କମ କ୍ଷତି କରୁଛି ।