ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଡା ଚେତାବନୀ: କରୋନା ମହାମାରୀର କେବେ ଅନ୍ତ ନାହିଁ ! ଏଚଆଇଭି ଭଳି ଆମକୁ କରୋନା ସହ ବି ବଞ୍ଚିବା ଶିଖିବାକୁ ପଡିବ

2,792

କନକ ବ୍ୟୁରୋ: କରୋନାର କେବେ ଅନ୍ତ ହେବ ନାହିଁ ! ଆମକୁ କରୋନାକୁ ନେଇ ବଂଚିବା ଶିଖିବାକୁ ପଡିବ…ବିଶ୍ୱବ୍ୟାପୀ କରୋନା ମହାମାରୀକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଡବ୍ଲୁଏଚଓର ଏଭଳି ଚେତାବନୀ ସମସ୍ତଙ୍କ ଆଶା ଓ ଭରସାକୁ ଦୋହଲାଇ ଦେଇଛି । କରୋନା ଲଢେଇରେ ବିଜୟୀ ହେବା ପାଇଁ ଯେଉଁଠି ବିଶ୍ୱର ବହୁ ବଡ ବଡ ଡାକ୍ତର ତଥା ବିଶେଷଜ୍ଞମାନେ ଦିନରାତି ଏକ କରିଦେଇଛନ୍ତି ସେଠି ଡବ୍ଲୁଏଚଓର ସଂକେତ ବିଶ୍ୱବାସୀଙ୍କ ୁ ସ୍ତବ୍ଧ କରିଦେଇଛି ।

ସାରା ବିଶ୍ୱରେ କାୟା ମେଲାଇ ବଢିଚାଲିଛି କରୋନା । ତେବେ ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି କେବେ ଥମିବ କରୋନା । କିନ୍ତୁ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ହାରକୁ ଦେଖିଲେ ମନେ ହେଉଛି କି ନିକଟ ଭବିଷ୍ୟତରେ ଯେମିତି କରୋନାର ଅନ୍ତି ନାହିଁ । ସେପଟେ, ଲୋକଙ୍କ ଏଭଳି ଆଶଙ୍କାଙ୍କୁ ସତ ବୋଲି ପ୍ରମାଣିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଡବ୍ଲୁଏଚଓର ଜରୁରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି ଯେ, କରୋନାର କେବେ ଅନ୍ତ ହୋଇନପାରେ । ମାନବ ସମାଜରେ କରୋନା ଆଗକୁ ଆହୁରୀ ଭୟଙ୍କର ରୂପ ଧାରଣ କରିପାରେ । ଆଉ ଏହାର ପ୍ରକୋପ ବିଶ୍ୱରେ କେତେ ଦିନ ଯାଏଁ ଯେ ଜାରି ରହିବ ତାହା ମଧ୍ୟ ଅନୁମାନ କରିବା ବହୁତ ମୁସ୍କିଲ ହୋଇପଡିବ । ତେଣୁ ଏଥିପାଇଁ ଭୟଭୀୟ ନହୋଇ ବରଂ ଆମକୁ କରୋନାକୁ ସାଥିରେ ନେଇ ହିଁ ଜୀବନ ଜିଇଁବାକୁ ହେବ ।

ମାଇକେଲ ଆହୁରୀ ମଧ୍ୟ କହିଛନ୍ତି, ବିଶ୍ୱରେ ଯେତେବେଳେ ଏଚଆଇଭି ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ଏହାକୁ ନେଇ ଲୋକେ ବେଶ ଆତଙ୍କୀତ ହୋଇପଡିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଲୋକେ ସର୍ତ୍ତ ସହ ଏଚଆଇଭି ସହ ବଂଚିବା ମଧ୍ୟ ଶିଖିଗଲେ । ଏବେବି ଏଚଆଇଭି ମାମଲା ସାମ୍ନାକୁ ଆସୁଛି ଏବଂ ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କୁ ବି ଉପଯୁକ୍ତ ଚିକିତ୍ସା କରାଯାଇ ସେମାନଙ୍କୁ ବଂଚାଇବାରେ ସକ୍ଷମ ହେଉଛୁ । ତେଣୁ କରୋନାର କେବେ ଅନ୍ତ ଘଟିବ ତାହା ଆକଳନ କରିବା କଷ୍ଟକର । ଆମକୁ କରୋନାକୁ ନେଇ ବଂଚିବାକୁ ହେବ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।