କରୋନା ହାରିବ, ଭାରତ ଜିତିବ । ଭାରତ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶ୍ୱାସ, କରୋନା ମୁକାବିଲା କରିବାକୁ ଭାରତ ପାଖରେ ଯଥେଷ୍ଟ କ୍ଷମତା ।

2,842

କନକ ବ୍ୟୁରୋ: ତାଲାବନ୍ଦ,କର୍ଫ୍ୟୁ ଓ କ୍ୱରେଂଟାଇନ ଭିତରେ ସାରା ବିଶ୍ୱ ଜାରି ରଖିଛି କରୋନା ଲଢେଇ । ଚୀନ ଓ ଇଟାଲୀର ସ୍ଥିତି ଦେଖି ଭାରତ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଉଛି । ଆଉ ଠିକ ଏତିକି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତର କରୋନା ଲଢେଇର ପ୍ରୟାସକୁ ନେଇ ନୂଆ ଆଶା ସଂଚାର କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କରୋନା ମୁକାବିଲା କରିବା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି ।

କରୋନା ଭଳି ମହାମାରୀକୁ ରୋକିବା ପାଇଁ ଭାରତ ପାଖରେ ଯଥେଷ୍ଟ ଦକ୍ଷତା ରହିଛି । ଏନେଇ ଭାରତ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ଡବ୍ଲୁଏଚଓ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି, ଏହି ସମୟରେ କଣ କରାଯାଇପାରିବ, ସେନେଇ ବିଶ୍ୱକୁ ବାଟ ଦେଖାଇବା ପାଇଁ ଭାରତ ପାଖରେ ଅସମ୍ଭବ ଦକ୍ଷତା ରହିଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ଟପିଛି । ହେଲେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ରୋକିବାରେ ଭାରତ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ଅଛି । ଆଉ ସାମାଜିକ ଦୂରତ୍ୱକୁ ଶୀର୍ଷ ସ୍ତରକୁ ନେଇ କରୋନା ସଂକ୍ରମଣ ରୋକିବାକୁ ଉଦ୍ୟମ ଜାରି ରଖିଛି ଭାରତ ।

କରୋନା ପୂର୍ବରୁ ଆଉ ଦୁଇଟି ମହାମାରକୁ ରୋକିବାରେ ବି ଭାରତ ବିଶ୍ୱକୁ ବାଟ ଦେଖାଇଛି । ୭୦ ଓ ୮୦ଦଶକରେ ମହାମାରୀ ରୂପ ନେଇଥିବା ସ୍ମଲ ପକ୍ସ ଓ ପୋଲିଓକୁ ସମ୍ପୂର୍ଣ୍ଣ ଅଟକାଇ ପାରିଛି ଭାରତ । ସେତେବେଳେ ଏହି ମହାମାରକୁ ରୋକିବାକୁ ଭାରତରେ ସର୍ବସାଧାରଣଙ୍କ ଗତିବିଧି ଉପରେ ହସ୍ତକ୍ଷେପ କରିଥିଲେ ସରକାର । ନିୟମ ଓ କଟକଣା ଜାରି ହୋଇଥିଲା । ଆଉ ଆଜି ପୋଲିଓ ଓ ସ୍ମଲପକ୍ସର ଘାତକ ପ୍ରଭାବରୁ ବେଶ ଦୂରେ ଭାରତ ।

ଭାରତ କେବଳ ନିଜ ଦେଶରୁ ସ୍ମଲ ପକ୍ସ ଓ ପୋଲିଓକୁ ଦୂର କରିନାହିଁ । ବରଂ ଏଭଳି ମହାମାରକୁ କେମିତି ପ୍ରତିହତ କରିହେବ ସେନେଇ ପୁରା ବିଶ୍ୱକୁ ବାଟ ଦେଖାଇଛି । ଏସବୁ ଭିତରେ କର୍ଫ୍ୟୁ,କଟକଣା ଓ ତାଲାବନ୍ଦ ଜାରି କରି ସାରା ଦେଶରେ ସଂକ୍ରମଣ ରୋକିବାରେ ପ୍ରୟାସ ଜାରି ରହିଛି । ଭାରତ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଯେତିକି ଭରସା କରୁଛି,ସେହି ଭରସାକୁ ବଜାୟ ରଖିବାକୁ ହେଲେ ଆମକୁ ସରକାରଙ୍କ ପରାମର୍ଶ ଓ କଟକଣା ମାନିବାର ଆବଶ୍ୟକତା ରହିଛି ।