କରୋନା ପରେ ମିଳିମିଳାକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ମହାରାଷ୍ଟ୍ର ସମେତ ସାରା ବିଶ୍ୱରେ ବ୍ୟାପୁଛି ଏହି ରୋଗ

101

କନକ ବ୍ୟୁରୋ : କରୋନା ପରେ ଏବେ ମିଳିମିଳା ରୋଗକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ମିଳିମିଳା ପ୍ରତିରୋଧକ ଟିକା ପ୍ରଦାନରେ ବିଳମ୍ବ ହୋଇଛି । କେବଳ ଭାରତ ନୁହେଁ ବିଭିନ୍ନ ଦେଶର ସରକାର ବିଫଳ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଆମେରିକାର ପବ୍ଲିକ ହେଲ୍ଥ ଏଜେନ୍ସି ମିଳିତ ଭାବେ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ମିଳିମିଳା ହେଉଛି ଏକ ଭାଇରସ ଯାହା ଟିକା ଦ୍ୱାରା ରୋକା ଯାଇପାରିବ । ୯୫ ପ୍ରତିଶତ ପିଲାଙ୍କୁ ଟିକା ପ୍ରଦାନ କରାଗଲେ ଏହାକୁ ନିପାତ କରାଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । କିନ୍ତୁ କରୋନା ମହାମାରୀ ଯୋଗୁ ଟିକା ପ୍ରଦାନ ବ୍ୟାଘାତ ଦେଖାଦେଇଛି ।

୨୦୨୧ରେ ପ୍ରାୟ ୪ କୋଟି ପିଲାଙ୍କୁ ମିଳିମିଳା ଟିକା ଦିଆଯାଇପାରିନାହିଁ । ଭାରତର ମହାରାଷ୍ଟ୍ର ସମେତ ବିଶ୍ୱର କେତେକ ଦେଶରେ ମିଳିମିଳା ରୋଗ ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ଦୁଇ ମାସ ମଧ୍ୟରେ ୨ ଶହରୁ ଅଧିକ ପିଲାଙ୍କ ଠାରେ ମିଳିମିଳା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ମାସଟେ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ସମୟରେ ଏହାର ପ୍ରତିକାର କରିବା ଆବଶ୍ୟକ ବୋଲି କହିଛି ହୁ ।