ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଢିଲା ଚିନ୍ତା । ଡେଲଟା ପରେ ବିଶ୍ୱକୁ ଡରାଇଲାଣି କରୋନାର ଲମ୍ବଡା ଭାରିଆଣ୍ଟ । ୨୯ ଦେଶରେ ମିଳିଲେଣି ସଂକ୍ରମିତ

3,031

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ କହିଛି କି ୨୯ ଟି ଦେଶରେ ପୁଣି କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଲମ୍ବଡା ନାମକ ଏହି ଭାରିଆଣ୍ଟ ବାବଦରେ କୁହାଯାଇଛି କି, କରୋନାର ଏହି ସ୍ୱରୂପ ପ୍ରଥମେ ଦକ୍ଷୀଣ ଆମେରିକାରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାପ୍ତାହିକ ଅପଡେଟ୍ ରେ କୁହାଯାଇଛି କି ଏହି ଭୂତାଣୁକୁ ପ୍ରଥମେ ପେରୁରୁ ଚିହ୍ନଟ କରାଯାଇଥିଲା । ଆମେରିକାରେ ଅତ୍ୟାଧିକ ସଂକ୍ରମଣ ଏହି ଭୂତାଣୁର ଜନ୍ମଦାତା ବୋଲି କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି କି, ପେରୁରେ ଲମ୍ବଡା ଭାରିଆଣ୍ଟର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ପେରୁରେ ଚଳିତ ବର୍ଷ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଚିଲିରେ ସରକାରୀ ରିପୋର୍ଟ ମୁତାବକ ୩୨ ପ୍ରତିଶତ ସଂକ୍ରମିତଙ୍କ ଠାରେ ଲମ୍ବଡା ଭାରିଆଣ୍ଟ ଦେଖିବାକୁ ମିଳିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି କରୋନାର ଏହି ସ୍ୱରୂପରେ ସଂକ୍ରମଣ କ୍ଷମତା ଅଧିକ । ଏହି ଭାରିଆଣ୍ଟର ସଂକ୍ରମଣ ଆଗରେ ଏଣ୍ଟିବଡି ପ୍ରଭାବହୀନ ହୋଇପଡିବ । ଏହାସହ ଲମ୍ବଡା ଭାରିଆଣ୍ଟ ବାବଦରେ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ଅଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ବିଶ୍ୱର ୨୯ ଟି ଦେଶରେ କରୋନାର ଏହି ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ବ୍ରିଟେନ ଦାବି କରିଛି କି ଡେଲଟା ଭାରିଆଣ୍ଟ ସଂକ୍ରମଣ ଫଳରେ ତାଙ୍କ ଦେଶରେ ୧୧ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।