କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ । କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ଅଧିକ ବନ୍ଧୁତାର ସମ୍ପର୍କ । ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ଆମେ ଯେତେବେଳେ ଛୋଟ ଥାଉ ସେବେ ଠାରୁ ଏହି ସମ୍ପର୍କ ସୃଷ୍ଟି କରିବା ଆରମ୍ଭ କରିଥାଉ । ଆମ ସହପାଠୀ କିମ୍ବା ପଡୋଶୀ ଏମାନେ ଆମ ବନ୍ଧୁତ୍ୱ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ଏକ ଭଲ ସାଙ୍ଗଟିଏ ମିଳିବା ପରେ ଆମ ଜୀବନର ମୋଡ ବଦଳିଯାଏ । କୁହାଯାଏ ଜଣେ ଭଲ ବନ୍ଧୁଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ । ଏହି ପବିତ୍ର ବନ୍ଧନ ଆଜି କି କାଲିର ନୁହେଁ ଏହା ବହୁ ପୁରାତନ କାଳରୁ ଚାଲି ଆସିଛି । ଏହାର ଏକ ବଡ ଉଦାହରଣ ହେଉଛନ୍ତି କୃଷ୍ଣ-ସୁଦାମାଙ୍କ ବନ୍ଧୁତା ।

Advertisment

ମନକଥା ଖୋଲି କହିବା ଲାଗି ବନ୍ଧୁର ବିକଳ୍ପ ନାହିଁ । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ । ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ । ବନ୍ଧୁ ତ ଅନେକ ଥାନ୍ତି କିନ୍ତୁ ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ ।

ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ୱର ମହତ୍ତ୍ୱକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ୱାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି । ଏହି ଅବସରରେ ସାଙ୍ଗମାନେ ପରସ୍ପରକୁ ଉପହାର ଦେଇ ନିଜ ବନ୍ଧୁ ପ୍ରତି ଥିବା ସଦ୍ଭାବନାକୁ ବ୍ୟକ୍ତ କରିଥାନ୍ତି । ଏବେ ଆଧୁନିକତା ଛାପରେ ବନ୍ଧୁତ୍ୱ ଦିବସ ପାର୍ଟି, ମେସେଜ, ବନ୍ଧୁତ୍ୱ ଫିତା ବା ଫ୍ରେଣ୍ଡସିପ୍‍ ବ୍ୟାଣ୍ଡ୍‍ ବାନ୍ଧି ପାଳନ କରାଯାଉଛି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ଆଜିର ଏହି ଦିନରେ ବିଶ୍ୱ ବନ୍ଧୁତା ଅର୍ଥରେ ସମସ୍ତଙ୍କୁ ଶୁଭେଚ୍ଛା ।