ବିଶ୍ୱ ଖାଦ୍ୟ ଦିବସରେ ଚାଞ୍ଚଲ୍ୟକର ତଥ୍ୟ, ସରକାରୀ ଗୋଦାମରେ ନଷ୍ଟ ହେଉଥିବା ଖାଦ୍ୟରେ ଭରିପାରନ୍ତା ୩୦ ଲକ୍ଷ ଭୋକିଲାଙ୍କ ପେଟ

135

କନକ ବ୍ୟୁରୋ : ଆଜି ବିଶ୍ୱ ଖାଦ୍ୟ ଦିବସ । ଦୁଇଦିନ ପୂର୍ବରୁ ବିଶ୍ୱ ଭୋକିଲା  ସୂଚକାଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆପଣ ବି ଚକିତ ହୋଇପଡିଥିବେ । କାରଣ ଏହି ତାଲିକାରେ ମୋଟ ୧୧୬ ଟି ଦେଶର ନାମ ଥିବା ବେଳେ ଭାରତର ସ୍ଥାନ ନେପାଳ, ପାକିସ୍ତାନ ଓ ବାଂଲାଦେଶ ତଳେ ରହିଛି । ହେଲେ ଏହାଠାରୁ ଚକିତ କରିଦେବା ଭଳି ଖବର ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଦେଶର ଖାଦ୍ୟ ଶସ୍ୟ ମହଜୁତ ଓ ତାହାକୁ ଯୋଗାଣ କରୁଥିବା ସରକାରୀ ସଂସ୍ଥା ଭାରତୀୟ ଖାଦ୍ୟ ନିଗମ ଯେଉଁ ତଥ୍ୟ ଦେଇଛି ତାହା ଆପଣଙ୍କୁ ନିଶ୍ଚିନ୍ତ ଥରେ ଭାବିବାକୁ ବାଧ୍ୟ କରିବ କି ଆମେ ଖାଦ୍ୟ ଉତ୍ପାଦନରେ କମ କରୁନାହୁଁ କିନ୍ତୁ ଏହାକୁ ପରିଚାଳନା କରିବାରେ ସରକାରୀ ବାବୁମାନେ କେମିତି ଖାମଖିଆଲି ନୀତି ଅବଲମ୍ବନ କରୁଛନ୍ତି ।

ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟର ଉତ୍ତର ମୁତାବକ ଦେଶର ଖାଦ୍ୟ ନିଗମରୁ ଯୋଗାଣ ହେବାକୁ ଯାଉଥିବା ଚାଉଳ, ଗହମ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଟ୍ରେନ ଓ ଟ୍ରକରେ ଯେତିକି ନଷ୍ଟ ହେଉଛି ଓ ଯେତିକି ଚୋରି ହେଉଛି ସେତିକିରେ ଦେଶର ୩୦ ଲକ୍ଷ ପିଲାଙ୍କ ପେଟ ଭରିପାରିବ । ଅନ୍ୟପଟେ ଏଫସିଆଇ ଅଧିକାରୀଙ୍କ କହିବା ମୁତାବକ ଖରାପ ହେଉଥିବା ଖାଦ୍ୟ ଶସ୍ୟର ହିସାବ ଜାରି କରାଯାଇ ପାରିବ ନାହିଁ । କିଛି ଖାଦ୍ୟ ଶସ୍ୟ ମାଟିତଳେ ପୋତିଦିଆ ଯାଉଛି ତ କିଛି ଖାଦ୍ୟ ଶସ୍ୟ ୧୦-୨୦ କେଜି ମୂଲ୍ୟରେ ପଶୁଖାଦ୍ୟ ତିଆରି କରୁଥିବା କମ୍ପାନୀ ମାନଙ୍କୁ ବିକ୍ରି କରିଦିଆଯାଉଛି ।

ବିଶେଷଜ୍ଞଙ୍କ ମତରେ ଜଣେ ଲୋକକୁ ଦୈନିକ ୨୦୦ ଗ୍ରାମ ଖାଦ୍ୟ ଶସ୍ୟର ଆବଶ୍ୟକତା ରହିଛି । ହେଲେ ବୟସ ମୁତାବକ ସ୍କୁଲରେ ମଧ୍ୟାହ୍ନ ଭୋଜନ କ୍ରମରେ ପ୍ରାଥମିକ ସ୍କୁଲରେ ପଢୁଥିବା ପିଲାଙ୍କୁ ୧୦୦ ଗ୍ରାମ ଓ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ୧୫୦ ଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦେଉଛନ୍ତି ସରକାର ।

ଏଫସିଆଇର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ମୁତାବକ ଗୋଦାମରେ ୨୦୦୮-୯ ରୁ ୨୦୧୭-୧୮ ମସିହା ପର୍ଯ୍ୟନ୍ତ ୧.୮୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଓ ଗହମ ଖରାପ ହୋଇଯାଇଥିଲା । ଅର୍ଥାତ ୧୬ ମେଟ୍ରିକ ଟନ୍ କ୍ଷମତା ମୁତାବକ ୧୧,୨୫୦ ଟ୍ରକ୍ ଖାଦ୍ୟ ଶସ୍ୟ ଖରାପ ହୋଇଯାଇଥିଲା । ଅନ୍ୟପଟେ ଆରଟିଆଇରୁ ପ୍ରାପ୍ତ ତଥ୍ୟ ମୁତାବକ ଗୋଟିଏ ଗାଡିରୁ ଅନ୍ୟ ଗୋଟିଏ ଗାଡିକୁ ଖାଦ୍ୟ ଶସ୍ୟ ସ୍ଥାନାନ୍ତର ବେଳେ ୨୦୦୮-୯ ରୁ ୨୦୧୭-୧୮ ମଧ୍ୟରେ ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଓ ଗହମ ଚୋରି ହେବା ସହ ଖରାପ ହୋଇଯାଇଥିଲା ।