କରୋନାର ବଡ଼ ପ୍ରଭାବ: ପାଣିଠାରୁ ଶସ୍ତା ହେଲା ଅଶୋଧିତ ତେଲ । ରେକର୍ଡ ସ୍ତରରେ ପହଂଚିଲା ତୈଳ ଦର ।

2,536

କନକ ବ୍ୟୁରୋ: ତେଲ ବଜାର ଉପରେ କରୋନା ମାଡ । ଅଶୋଧିତ ତୈଳ ବଜାରକୁ ଧରାଶାୟୀ କରିପକାଇଛି କରୋନା ଭୂତାଣୁର ପ୍ରଭାବ । ଏପ୍ରିଲ ୨୦ ତାରିଖ ସୋମବାର ନ୍ୟୁୟର୍କରେ ଅଶୋଧିତ ତୈଳର ପ୍ରତିଶ୍ରୁତି ଦର ଅବିଶ୍ୱସନୀୟ ଭାବେ ହ୍ରାସ ଘଟିଛି ।
– ଆମେରିକା ୱେଷ୍ଟ ଟେକ୍ସାସ ଇଂଟରମିଡିଏଟରେ ବ୍ୟାରେଲ ପ୍ରତି ଦର ମାଇନସ ୩୭.୬୩ ଡଲାର ପହଂଚିଛି
– ଆମେରିକୀୟ ଡଲାରରେ ଧାର୍ଯ୍ୟ ହେଉଥିବା ତୈଳ ଦର ବ୍ୟାରେଲ ପ୍ରତି ବର୍ତମାନ ଶୁନ୍ ତଳକୁ ଖସିଆସିଛି
– ୧୯୪୬ ପରେ ପ୍ରଥମ ଥର ପାଇଁ ଆମେରିକାରେ ଅଶୋଧିତ ତେଲର ଏପରି ସ୍ତର ଦେଖିବାକୁ ମିଳିଛି
ଆମେରିକାରେ ତୈଳ ଭଣ୍ଡାର ଗୁଡିକ ଭର୍ତି ହୋଇଯିବାରୁ ଏପରି ସ୍ଥିତି ଉପୁଜିଛି । ତେବେ ଏହା କ୍ଷଣସ୍ଥାୟୀ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

କରୋନା ସଂକଟର ମୁକାବିଲା ପାଇଁ ସାରା ବିଶ୍ୱରେ ଲକଡାଉନ ଭଳି ପଦକ୍ଷେପ ଜାରି ରହିଛି । ସେପଟେ ବ୍ୟବସାୟୀମାନେ ମେ’ ମାସ ପାଇଁ ଯେଉଁ ପ୍ରତିଶ୍ରୁତି ଦର ଧାର୍ଯ୍ୟ କରିଥିଲେ ଏବେ ସେହି ଦରରେ ତେଲ ଉଠାଇବାକୁ ରାଜି ହେଉ ନାହାନ୍ତି । ତେଲର ବ୍ୟବହାର ମାତ୍ରାଧିକ କମିଯାଇଥିବାରୁ ତୈଳ ଭଣ୍ଡାର ଗୁଡିକରେ ତେଲ ଭର୍ତି ହୋଇରହିଛି । ଏପଟେ ତୈଳ ଉତ୍ପାଦନ କମ୍ପାନି ବିତରକଙ୍କୁ ଖର୍ଚ୍ଚ ଦେଇ ତେଲ ଉଠାଇବାକୁ କହୁଛନ୍ତି । ଏଣୁ ଅଶୋଧିତ ତେଲ ଦର ଐତିହାସିକ ନିମ୍ନ ସ୍ତରକୁ ଖସିଯାଇଛି ।

ହେଲେ କୁହାଯାଉଛି ଆମେରିକା ବଜାରରେ ଅଶୋଧିତ ତୈଳ ମାଗଣା ହୋଇଗଲେ ମଧ୍ୟ ଭାରତୀୟ ତେଲ ବଜାର ଉପରେ ଏହାର ପ୍ରଭାବ ପଡିବ ନାହିଁ । କାରଣ ଭାରତ ଏହାର ତେଲ ଚାହିଦା ପାଇଁ ଇଂଲଣ୍ଡ ଓ ଅନ୍ୟ ଗଲ୍ଫ ଦେଶଗୁଡିକ ଉପରେ ନିର୍ଭର କରେ । ଯାହାକୁ ଇଣ୍ଡିଆନ କ୍ରୁଡ୍ ବାସ୍କେଟ୍ ବୋଲି କୁହାଯାଇଥାଏ । ଏଥିରେ ୮୦ ପ୍ରତିଶତ ଓପେକା ଦେଶ ଏବଂ ଲଣ୍ଡନ ବ୍ରେଂଟ୍ କ୍ରୁଡ୍ର ଭାଗିଦାରି ରହିଛି । ସୋମବାର ଲଣ୍ଡନ ବ୍ରେଂଟ କ୍ରୁଡର ଜୁନ ମାସ ପାଇଁ ପ୍ରତିଶ୍ରୁତି ଦର ବ୍ୟାରେଲ ପିଛା ୨୬ ଡଲାର ଓ ମେ’ ମାସ ପାଇଁ ୨୩ ଡଲାର ପ୍ରତି ବ୍ୟାରେଲ ରହିଛି ।

କେବଳ ଆମେରିକା ନୁହେଁ ଜର୍ମାନୀ ଓ ଜାପାନ ଆଦି ଦେଶରେ ଅର୍ଥନୈତିକ ସ୍ଥିତି ଏପରି ହୋଇଛି ଯେ, ତୈଳ ଚାହିଦା କେବେ ବଢିବ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । କରୋନା ଭୂତାଣୁ ଯୋଗୁଁ ଲୋକେ ଘରେ ରହୁଛନ୍ତି । ଯାନବାହାନ ଚଳାଚଳ ବି ଠପ୍ ହୋଇଯାଇଛି । ତେଣୁ ତୈଳ ଚାହିଦା ମଧ୍ୟ ହ୍ରାସ ପାଇଛି । ଏହାର ମାଡ ସିଧାସଳଖ ତୈଳ ଦର ଉପରେ ପଡିଛି ।