ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଉଠୁଛି ପଡୁଛି ବରଗଡ । ଆରମ୍ଭ ହେଲା ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଆଜି ଅଭିନୀତ ହେବ କୃଷ୍ଣଜନ୍ମ ଓ ବସୁଦେବଙ୍କ ଗୋପପୁର ଯାତ୍ରା ।

165

କନକ ବ୍ୟୁରୋ : ଉଦଘାଟିତ ହୋଇଯାଇଛି ୭୧ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାରେ ଆରମ୍ଭ ହୋଇଛି ମହାପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଦ୍ୱିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦୃଶ୍ୟ ଅଭିନୀତ ହେବ ।
ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଦ୍ୱାପର ଯୁଗକୁ ଫେରିଯାଇଛି ବରଗଡ ସହର । ବରଗଡ଼ ପାଲଟିଛି ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ହୋଇଛି ଯମୁନା ନଦୀ । ଏହାସହ ବରଗଡ଼ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଂଚର ଜଣେ ଜଣେ କଳାକାର ।

ଗତକାଲି ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ମଥୁରା ରାଜ ଦରବାରରେ ପହଂଚିଥିଲା । ଏହାପରେ ସାଂସଦ ସୁରେଶ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଧନୁ ଯାତ୍ରାର ଶୁଭ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ଅଧିକାରୀମାନେ ସାମିଲ ହୋଇଥିଲେ ।

ଧନୁଯାତ୍ରାର ଉଦଘାଟନୀ ଦିବସରେ ମହାରାଜ ଉଗ୍ରସେନ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ କରାଇଥିଲେ । ସେପଟେ ଯୁବରାଜ କଂସ ଗୋମତ ଋଷିଙ୍କ ଠାରୁ ଅଭିଶାପ ପାଇବା ସହ ତାଙ୍କ ଆଶ୍ରମରେ ନିଆଁ ଲଗାଇଛନ୍ତି । ଆକାଶରୁ ଦୈବୀବାଣୀ ଶୁଣି ଦେବକୀ-ବାସୁଦେବଙ୍କୁ ବନ୍ଦୀ କରିଛନ୍ତି କଂସ । ଏହାପରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆହୋରଣ କରିଛନ୍ତି । କଂସଙ୍କ ରାଜ୍ୟଭିଷେକକୁ ନେଇ ମନ୍ତ୍ରୀ ପରିଷଦ ଉଲ୍ଲସିତ ଥିବା ବେଳେ ସମସ୍ତଙ୍କ ମନୋରଂଜନ ପାଇଁ ଆୟୋଜିତ ହୋଇଥିଲା ନୃତ୍ୟଗୀତ କାର୍ଯ୍ୟକ୍ରମ ।

ଦ୍ୱିତୀୟ ଦିନରେ ମଥୁରାବାସୀଙ୍କ ମନୋରଂଜନ ସକାଶେ ରଂଗମହଲର ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ । କଂସଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା, ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବା ଦୃଶ୍ୟ ଅଭିନୀତ ହେବ ।