୧୧ ଦିନର କଂସରାଜରେ ପଡିଲା ପୂର୍ଣ୍ଣଚ୍ଛେଦ ! ମଞ୍ଚରୁ ପଡି କଂସ ମାମୁ ମରିବା ପରେ ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
କନକ ବ୍ୟୁରୋ : ମଞ୍ଚରୁ ପଡି କଂସ ମାମୁ ମରିବା ସହ ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ ପଡ଼ିଛି । କଂସ ନିଧନ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ଶେଷ ହୋଇଛି । ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ । ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ । ତା’ ସହ ଉଭେଇ ଯାଇଛି କଂସରାଜ । ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟକ୍ରମରେ କୃଷ୍ଣବଳରାମଙ୍କ ମଥୁରା ଭ୍ରମଣ କରିଛନ୍ତି । ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚରଙ୍କ ଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେ ପକାଇଥିଲେ। ଅସ୍ଥିର, ବିଚଳିତ ହୋଇ ଉଠିଥିଲେ ମହାରାଜ କଂସ। ମାତ୍ର ତାଙ୍କୁ ଅଶ୍ୱାସନା ଦେବା ପାଇଁ ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହଂସଧ୍ୱଜ, ଚାଣୁର ମୁଷ୍ଟିକ ଏବଂ ମଲ୍ଲବୀର ନିଜ ନିଜ ବଳ ପରାକ୍ରମ ବଖାଣିଥିଲେ । ମହାରାଜଙ୍କ ଅଦେଶ ପାଇବା ମାତ୍ରେ କୃଷ୍ଣବଳରାମଙ୍କ ବଧ କରିବେ ବୋଲି କହିଥିଲେ । ମହାରାଜ କଂସ ଏଭି ଆଶ୍ୱସନା ବାଣୀ ଶୁଣି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ । ମନର ଦ୍ଵନ୍ଦ୍ୱକୁ ପାଶୋରିବା ପାଇଁ ପୁଣି ସୁରାପାନ କଲେ । ନୃତ୍ୟଗୀତର ଆସରରେ ମସଗୁଲ ରହିଥିଲେ ।
ଦୃଶ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣ ପରେ କଂସ ଦରବାର ଅଭିମୁଖେ ଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳି ଥିଲା । କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ । ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ । ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କଂସ । କୃଷ୍ଣବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ । ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ । ସେମାନଙ୍କୁ ଦେଖି ମହାରାଜ କଂସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା ।
ସେ ନିଜକୁ ଅସହାୟ ମନେ କରିଥିଲେ । ସତେ କ’ଣ ଦୈବବାଣୀ ସତ ହେବ? ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ କ’ଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇଉଠୁଥିଲେ ମହାରାଜ । ରାଜ ଦରବାରର ଏପଟରୁ ସେପଟକୁ ପଦ ଚାଳନା କରିଛନ୍ତି। ତଥାପି ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ। ମାମୁଁ-ଭଣଜାଙ୍କ ସମରରେ ମାମୁଁ କଂସ ହୋଇଥିଲେ ଧରାଶାୟୀ । ଦରବାର ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।ଆଉ ଏହାସହ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ପଡିଥିଲା ପୂର୍ଣ୍ଣଚ୍ଛେଦ ।