କନକ ବ୍ୟୁରୋ : ଆଜି ବିଶ୍ୱ ହାତୀ ଦିବସ । ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ହାତୀ ଶିକାର ଓ ହାତୀ ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି ହାତୀ । ଏନେଇ ସଚେତନତା ସୃଷ୍ଟି କରିବା, ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଏ । ତେଣୁ ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Advertisment

ସେପଟେ, ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ସମୁଦାୟ ୬୨ ହାତୀ ଅଛନ୍ତି । ଉତ୍ତର ଘୁମୁସର ବନଖଣ୍ଡରେ ୪୩ଟି ହାତୀ ରହିଥିବା ଜଣାପଡ଼ିଛି । ସେଥିରୁ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ୧୯ଟି, ତାରିସିଂ ବନାଞ୍ଚଳରେ ୮ଟି ଓ ମୁଜାଗଡ଼ ବନାଞ୍ଚଳରେ ୧୬ଟି ହାତୀ ରହିଛନ୍ତି । ଅନ୍ୟ ରେଞ୍ଜ ଗୁଡ଼ିକରେ ହାତୀଙ୍କ ଚଳପ୍ରଚଳ ରହିଥିଲେ ମଧ୍ୟ ବର୍ତ୍ତମାନ ହାତୀ ନଥିବା ଜଣାପଡ଼ିଛି । ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ବର୍ତ୍ତମାନ ୧୯ଟି ହାତୀ ରହିଥିବା ଜଣାପଡ଼ିଛି ।

ଏହି ବନଖଣ୍ଡର ସୋରଡ଼ା ରେଞ୍ଜର ଗାଜଲବାଡ଼ି ଇଲାକାର ପଣ୍ଡାଖୋଲ ସଂରକ୍ଷିତ ଜଙ୍ଗଲରେ ୧୪ ଟିକିଆ ହାତୀପଲ ରହିଛନ୍ତି । ଏହି ହାତୀପଲ ଅନ୍ୟ ଜଙ୍ଗଲକୁ ପ୍ରାୟତଃ ଯାଉନାହାନ୍ତି । ଆସିକା ରେଞ୍ଜରେ ୫ଟି ହାତୀ ଥିବା ବେଳେ ବୁଗୁଡ଼ା ରେଞ୍ଜ୍‌ରେ ଥିବା ୮ ଟି ହାତୀ କିଛି ଦିନ ହେଲା ଖୋର୍ଦ୍ଧା ବନଖଣ୍ଡକୁ ଚାଲିଯାଇଛନ୍ତି । ଏହି ହାତୀପଲ ପ୍ରାୟ ସମୟରେ ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ମଧ୍ୟରେ ଚଳପ୍ରଚଳ ହେଉଥିବାରୁ ସେମାନଙ୍କ ଉପରେ ବନ ବିଭାଗ କଡ଼ା ନଜର ରଖିଛି ।