କନକ ବ୍ୟୁରୋ: ଜଳୁଛି ପୃଥିବୀ । ବୈଶାଖ୍ୟ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ । ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି । ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ । ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବାକୁ ୧୯୭୦ ମସିହାରେ ଆମେରିକାଠାରେ ବିଶ୍ୱ ପୃଥିବୀ ଦିବସ ପ୍ରତିଷ୍ଠା ହୋଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ(ଆଇପିସିସି) ରୁ ରିପୋର୍ଟ ପ୍ରକାଶ ପାଇଛି, ଯାହା ମାନବ ସମାଜ ପାଇଁ ‘ଲାଲ ସଙ୍କେତ’ ବୋଲି କୁହାଯାଉଛି ।
ବର୍ତ୍ତମାନ ଜଳବାୟୁର ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଛି । କାରଣ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି । ଆମ ପୃଥିବୀର ପୂର୍ବର ସେହି ସୌନ୍ଦର୍ଯ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ସତେ ଯେମିତି ପ୍ରକୃତି ସହିତ ଶୀତଳ ଯୁଦ୍ଧ ଚାଲିଛି । ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ଠିକ୍ ସମୟରେ ଋତୁ ଆସୁନି । ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି କରା ରୂପ ନେଇ ଆସୁଛି । ଫଳରେ କେତେବେଳେ ମରୁଡି ତ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ମଣିଷ ।
ପ୍ରକୃତି ଉପରେ ପରୀକ୍ଷା ଚଳାଇଛି ମଣିଷ । ନିଜ ଜ୍ଞାନର ବଡିମା ଦେଖାଇ ପୁରା ପ୍ରକୃତିକୁ ଧ୍ୱଂସ୍ତବିଧ୍ୱଂସ୍ତ କରିପକାଉଛି । ନିଜର ସଉକ୍ ପାଇଁ ପୁରା ପରିବେଶକୁ ପ୍ଳାଷ୍ଟିକ୍ ଠାରୁ ଆରମ୍ଭ କରି ବିଷାକ୍ତ ଧୂଆଁରେ ପୁରା ବିଶ୍ୱ ଆକ୍ତାମାକ୍ତା କରିପକାଇଲାଣି ମଣିଷ । ସହରୀକରଣ ନିଶା ଧୀରେ ଧୀରେ ଜଙ୍ଗଲକୁ ପଦା କରୁଛି । ତାର ପରିଣାମ ବି ଭୋଗୁଛି । ତଥାପି ହେଜିବାକୁ ନାରାଜ ।
ଏସବୁ ବିଷୟରେ ଅନ୍ତତଃ ସମ୍ବେଦନଶୀଳ ଜନସମାଜକୁ ସତର୍କ କରିବାକୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିର ଦିନରେ ମଧ୍ୟ ପାଳନ କରାଯାଉଛି ‘ବିଶ୍ୱ ଧରିତ୍ରୀ ଦିବସ’ । ଚଳିତବର୍ଷ ଏଥିପାଇଁ ବାର୍ତ୍ତା ରହିଛି ‘ଆମ ଗ୍ରହରେ ନିବେଶ କରିବା’ । ଆମ ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବାକୁ ସବୁଜିମାରେ ଭରିଦେବାକୁ ସରକାର, ଉଦ୍ୟୋଗ ଓ ବ୍ୟକ୍ତିବିଶେଷ ନିବେଶ କରନ୍ତୁ ବୋଲି ଚଳିତ ବର୍ଷ ଏହି ଦିବସରେ ଆହ୍ୱାନ ଦିଆଯାଇଛି ।