ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ: ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ

7,478

କନକ ବ୍ୟୁରୋ: ଉନ୍ମୁକ୍ତ ଚାନ୍ଦ । କେବେ ନା କେବେ ଏହି କ୍ରିକେଟକଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଦିନେ ଭାରତୀୟ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ କରୁ କରୁ ଶେଷ ହୋଇଯାଇଥିଲା । ଆଉ ଏବେ ଏହି କ୍ରିକେଟର ସମସ୍ତଙ୍କ ପାଇଁ ଅପରିଚିତ ହୋଇଯାଇଛନ୍ତି । ହେଲେ ଦିନେ ଉନ୍ମୁକ୍ତ ଚାନ୍ଦ ଟିମ ଇଣ୍ଡିଆକୁ ବିଶ୍ୱକପ ଜିତାଇଥିଲେ । ୨୦୧୨ ମସିହାରେ ଉନ୍ମୁକ୍ତ ୧୯ ବର୍ଷରୁ କମ ଭାରତୀୟ ଟିମର ଅଧିନାୟକ ରହିଥିଲେ । ଆଉ ସେହି ବର୍ଷ ଭାରତ ତାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ବି ହୋଇଥିଲା । କିନ୍ତୁ ଏବେ ଏହି କ୍ରିକେଟର ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ବେଶ ଆଗ୍ରହୀ ଅଛନ୍ତି ।

ଏବେ ଦେଖିବାକୁ ମିଳୁଛି ଉନ୍ମୁକ୍ତ ଚାନ୍ଦ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି । ଆଉ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ବି ସେ ପ୍ରସ୍ତୁତି ଚଳାଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ୨୦୨୪ ବିଶ୍ୱକପର ଆୟୋଜନ କରିବେ । ସେଥିପାଇଁ ୱେଷ୍ଟଇଣ୍ଡିଜ ସହ ଆମେରିକା ବି ଏହି ଟୁର୍ଣ୍ଣାମେଣ୍ଟରେ କ୍ୱାଲିଫାଇ କରିସାରିଛି । ଆଉ ଜୁନ ୧୨ରେ ଆମେରିକା ଭାରତକୁ ଭେଟିବ । ଏହି ମ୍ୟାଚରେ ଆମେରିକା ପକ୍ଷରୁ ଉନ୍ମୁକ୍ତ ଚାନ୍ଦ ଖେଳିପାରନ୍ତି ବୋଲି କୁହାଯାଉଛି ।

ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଉନ୍ମୁକ୍ତ ଚାନ୍ଦ ଖେଳିବା ନେଇ ନିଜ ବୟାନ ରଖି କହିଛନ୍ତି, ବାସ୍ତବରେ ଏହି ଘଟଣା ବେଶ ଆଶ୍ଚର୍ଯ୍ୟଜନକ ହେବ । ହେଲେ ମୁଁ ଯେବେଠୁ ଭାରତରୁ ସନ୍ୟାସ ନେଇଛି ମୋର ଗୋଟିଏ ଲକ୍ଷ୍ୟ ଭାରତ ବିପକ୍ଷରେ ଖେଳିବା ଥିଲା । ଏହା କୌଣସି ଖରାପ ଉଦ୍ଦେଶ୍ୟରେ ନୁହେଁ ବରଂ ମୁଁ ଗୋଟିଏ ଭଲ ଟିମ ବିପକ୍ଷରେ ଖେଳି ମୋ ନିଜକୁ ପରଖି ପାରିବି । ସେ ଆହୁରି କହିଛନ୍ତି କି ଭାରତ ବର୍ତ୍ତମାନ କ୍ରିକେଟରେ ସବୁଠାରୁ ଭଲ ଟିମ । ମୁଁ ଭାରତ ବିପକ୍ଷରେ ନିଜ ଦକ୍ଷତା ଦେଖିବାକୁ ଚାହିଁବି ।

ଉନ୍ମୁକ୍ତ ଚାନ୍ଦ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ । ଏହାପରେ ସେ ଆଇପିଏଲରେ ସୁଯୋଗ ପାଇଥିଲେ ବି ଲମ୍ବା ସମୟ ଯାଏଁ ରହିପାରିନଥିଲେ । ଏମିତି କି ଟିମ ଇଣ୍ଡିଆରେ ନିଜ ଜାଗା ସୃଷ୍ଟି କରିପାରିନଥିଲେ । ଏହାପରେ ସେ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ । ଗୋଟିଏ ଯୁବ ଉଦୀୟମାନ କ୍ରିକେଟର ନିଜ କ୍ୟାରିୟର କରିବା ପୂର୍ବରୁ ହଠାତ କୁଆଡେ ଉଭାନ ହୋଇଯାଇଥିଲେ । ଏବେ ସେ ଭାରତ ଛାଡି ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି । ତେବେ ଦେଖିବା ବାକି ରହିଲା ଟି-୨୦ ବିଶ୍ୱକପରେ ଆମେରିକା ଟିମରେ ତାଙ୍କୁ ସ୍ଥାନ ମିଳୁଛି ନା ନାହିଁ । ଯଦି ମିଳିଲା ଭାରତ ବିପକ୍ଷରେ ସେ ମ୍ୟାଚ ଖେଳି ନିଜ ସ୍ୱପ୍ନ ପୂରା କରିପାରିବେ ।