ବିଶ୍ୱବିଜେତା ଟିମକୁ ମିଳିବ କୋଟି କୋଟି ଟଙ୍କା, କିନ୍ତୁ ମିଳିବ ନାହିଁ ଅସଲି ବିଶ୍ୱକପ ଟ୍ରଫି ।

647

ଲର୍ଡସ ମୈଦାନରେ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । କିଏ ହେବ ବିଶ୍ୱକପର ବାଦଶାହା ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଚଳିତ ବିଶ୍ୱକପରେ ପ୍ରଥମ ଥର ନୂଆ ବିଶ୍ୱବିଜେତା ଦେଖିବେ କ୍ରିକେଟପ୍ରେମୀ । ର୍ପୂବରୁ ଇଂଲଣ୍ଡ ୩ଥର ଓ ନ୍ୟୁଜିଲାଣ୍ଡ ଥରେ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ବିଜୟର ସ୍ୱାଦ ଏଯାଏଁ ଚାଖି ନାହାନ୍ତି । ତେବେ ଚଳିତ ବିଶ୍ୱକପରେ ଉଭୟ ଦଳ ଫାଇନାଲ ଟିକେଟ ହାତେଇଥିବା ବେଳେ ଲର୍ଡସ ମୈଦାନରେ କିଏ ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ଉଠାଇବ ତାହା ଉପରେ ପୂରା ବିଶ୍ୱବାସୀଙ୍କର ନଜର ରହିଛି । ତେବେ ବିଶ୍ୱକପ ବିଜେତା ଟିମକୁ ପୁରସ୍କାର ସ୍ୱରୂପ କେତେ ଅର୍ଥ ରାଶି ଓ ରନର୍ସ ଅପ୍ ଟିମକୁ କେତେ ଟଙ୍କା ମିଳିବ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଚଳିତ ବିଶ୍ୱକପରେ ମୋଟ ପୁରସ୍କାର ରାଶି ୬୯.୪୧ କୋଟି ଟଙ୍କା ରହିଛି । ସେହିଭଳି ଯେଉଁ ଟିମ୍ ବିଶ୍ୱକପ ଟ୍ରଫି ହାସଲ କରିବ ସେହି ଦଳକୁ ପୁରସ୍କାର ରାଶି ବାବଦକୁ ୨୮ କୋଟି ଓ ରନର୍ସ ଅପ୍ ଟିମକୁ ୧୩.୮ କୋଟି ଟଙ୍କା ଦିଆଯିବ । ଅନ୍ୟପଟେ ସେମିଫାଇନାଲ ଖେଳି ପରାଜିତ ହୋଇଥିବା ଟିମକୁ ୫.୬ କୋଟି ଲେଖାଏଁ, ନକଆଉଟରେ ପହଞ୍ଚିଥିବା ଟିମକୁ ୭୦ ଲକ୍ଷ ଓ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଥିବା ଟିମକୁ ୨୮ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।

ତେବେ ବିଶ୍ୱବିଜେତା ଟିମକୁ କୋଟି କୋଟି ଟଙ୍କା ପୁରସ୍କାର ବାବଦକୁ ଦିଆଯିବାକୁ ଥିବା ବେଳେ ଅସଲି ବିଶ୍ୱକପ ଟ୍ରଫି ବିଜୟୀ ଟିମକୁ ମିଳିବ ନାହିଁ । ସୁନା ଓ ରୂପାରେ ନିର୍ମିତ ଏହି ବିଶ୍ୱକପ ଟ୍ରଫି ୧୧ କିଲୋର ହୋଇଥିବା ବେଳେ ଏହାର ଉଚ୍ଚତା ୬୦ ସେଣ୍ଟିମିଟର । ତେବେ ଆଇସିସିର ନିୟମ ଅନୁଯାୟୀ, ବିଜୟୀ ହୋଇଥିବା ଟିମକୁ ଅସଲି ଟ୍ରଫି ଦିଆଯାଇନଥାଏ । ବିଜୟୀ ଟିମକୁ ଅସଲି ବଦଳରେ ବିଶ୍ୱକପର ଡମି ଟ୍ରଫି ମିଳିଥାଏ । ଏହି ଅସଲି ବିଶ୍ୱକପ ଟ୍ରଫିକୁ ଆଇସିସିର ମୁଖ୍ୟାଳୟ ଶାରଜାହାରେ ରଖାଯାଇଛି ।