କନକ ବ୍ୟୁରୋ: ଆସନ୍ତାକାଲି ଦିନ ୨ଟାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଆଉ ଆଜିଠୁ ଆରମ୍ଭ ହୋଇଯାଇଛି ଅବଗଣନା । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଭାରତରେ ପହଂଚିସାରିଲେଣି । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ ।

Advertisment

ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମ୍ରେ ନୃତ୍ୟ, ଗୀତ ଦେଖିବାକୁ ମିଳିବ । ଏଥିପାଇଁ ଆଜି ଦିନ ତମାମ ନୃତ୍ୟଶିଳ୍ପୀ, ସଂଗୀତ ନିର୍ଦ୍ଦେଶକମାନେ ଉଦ୍ୟାପନୀ ଉତ୍ସବ ପାଇଁ ରିହରସାଲ୍ କରିବେ । ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ ।