କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଚିନ୍ତା । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳର ୪ ଜଣ ଖେଳାଳି ଆହତ ହେଇ ଦଳରୁ ଆଉଟ୍ ହେଇଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସହିତ କଙ୍ଗାରୁ ଦଳର ଅନ୍ୟ ୩ ଜଣ ଖେଳାଳି ଆହତ ହେଇଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ସେମାନଙ୍କୁ ବାଦ୍ ଦିଆଯାଇଛି ।

Advertisment

ଅଷ୍ଟ୍ରେଲିଆ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ସହିତ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଆହତ ହେଇ ଦଳରୁ ବାଦ୍ ପଡିଛନ୍ତି । ଯିଏକି ଦଳର ପ୍ରମୁଖ ସଦସ୍ୟ ଅଟନ୍ତି ।

ଏହି ୪ ଖେଳାଳି ଆହତ ହେଇ ଦଳରୁ ବାଦ୍ ପଡିବା ପରେ ଅଷ୍ଟ୍ରେଲିଆ ଦଳରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ । ବୋଲିଂରେ ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ଦଳର ନେତୃତ୍ୱ ନେଉଥିଲେ । ସେହିପରି ବ୍ୟାଟିଂରେ ମଧ୍ୟ ଷ୍ଟିଭ୍ ସ୍ମିଥ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳ ପାଇଁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ।

ତେବେ ଏ ସବୁ ଭିତରେ କ୍ରିକେଟ୍ ଅଷ୍ଟ୍ରେଲିଆ ଆଶା ରଖିଛି ଯେ, ବିଶ୍ୱକପ୍ ପୂର୍ବରୁ ଦଳର ଏହି ୪ ଜଣ ଖେଳାଳି ଆହତ ଅବସ୍ଥାରୁ ମୁକୁଳିସାରିଥିବେ । ହେଲେ କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଏହି ଖେଳାଳିମାନେ ଖେଳିପାରିବେନି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭିତରେ ଦିନିକିଆ ସିରିଜ୍ ଆରମ୍ଭ ହେବ ।