କନକ ବ୍ୟୁରୋ : ଚଳିତ ବିଶ୍ୱକପରେ କାହା ସହ ସେମିଫାଇନାଲ ଖେଳିବ ଭାରତ । କ୍ରିଡାପ୍ରେମୀଙ୍କ ମଧ୍ୟରେ ଏନେଇ ଜୋର ଧରିଛି ଚର୍ଚ୍ଚା । ତୃତୀୟ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ପରେ ପଏଂଟ ଟେବୁଲର ଦ୍ୱିତୀୟରେ ଥିବା ଦକ୍ଷିଣ ଆଫ୍ରିକା ସହ ସେ ସେମିଫାଇନାଲ ଖେଳିବ । ଆସନ୍ତା ୧୬ ତାରିଖରେ ଏହି ମୁକାବିଲା ହେବ । ସେହିପରି ୧୫ ତାରିଖରେ ଭାରତ ପ୍ରଥମ ସେମିଫାଇନାଲ ଖେଳିବ । ପଏଂଟ ଟେବୁଲର ଶୀର୍ଷରେ ଥିବା ଭାରତର ମୁକାବିଲା ଚତୁର୍ଥ ସ୍ଥାନ ସହ ହେବ । ହେଲେ ଚତୁର୍ଥ ସ୍ଥାନକୁ ଯିବ କିଏ? ଏଥିପାଇଁ ଦୌଡ଼ରେ ଅଛନ୍ତି ତିନି ଦଳ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ । ଏହି ତିନି ଦଳ ୮ ପଏଂଟ ଳେଖାଏଁ ପାଇଥିବା ବେଳେ ଆଗକୁ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଆଜି ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ଖେଳ ଚାଲିଛି । ଶ୍ରୀଲଙ୍କା ସେମି ଦୌଡ଼ରୁ ବାଦ୍ ପଡ଼ିଛି । ହେଲେ ଲଗାତର ୪ଟି ମ୍ୟାଚ୍ ହାରିଥିବା ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ । ଶ୍ରୀଲଙ୍କାଠୁ ବିଜୟୀ ହେଲେ ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ହୋଇପାରିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ନଜର ପକାନ୍ତୁ ସେମିକୁ ଯିବା ପାଇଁ ତିନି ଦଳଙ୍କ ଆଗରେ କ’ଣ ରହିଛି ଚ୍ୟାଲେଞ୍ଜ ।
ଆଜି ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କଲେ ୧୦ ପଏଂଟ ସହ ସେମି ପାଇଁ ବଡ଼ ଦାବିଦାର ହେବ
ଏହି ତିନି ଦଳ ଭିତରେ ନ୍ୟୁଜିଲାଣ୍ଡର ରନରେଟ୍ ଭଲ ଅଛି, ଜିତିଲେ ଆହୁରି ଉନ୍ନତ ହେବ
କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ । କେବଳ ବିଜୟ ନୁହେଁ, ବଡ଼ ରନ୍ ବ୍ୟବଧାନରେ ବିଜୟ ହିଁ ଦଳକୁ ଆଗକୁ ନେବ । ଆରମ୍ଭରୁ ଝୁଂଟି ଝୁଂଟି ଆସିଥିବା ପାକିସ୍ତାନ ତାର ଶେଷ ଲିଗ୍ ମ୍ୟାଚ୍ ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳିବ । ବଡ଼ ବିଜୟ ପାଇଲେ ହିଁ ସେମିଫାଇନାଲ ଟିକେଟ୍ ପାଇପାରେ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନର ପଏଂଟ ଓ ରନ୍ରେଟ୍କୁ ଦେଖି ତାକୁ ଟପିବାକୁ ଚେଷ୍ଟା କରିବ ପାକିସ୍ତାନ । ତିନି ଦଳ ଭିତରେ ଯଦି ଗୋଟିଏ ଦଳ ବିଜୟ ପାଏ ଓ ଅନ୍ୟ ୨ ଦଳ ହାରି ଯାଆନ୍ତି, ତେବେ ବିଜୟୀ ଦଳ ସେମିକୁ ଯିବ । ଯଦି ଦୁଇଟି ଦଳ ଜିତନ୍ତି ଓ ଗୋଟିଏ ଦଳ ହାରିଯାଏ, ତେବେ ଦୁଇ ବିଜୟୀ ଦଳର ରନରେଟ୍ ବିଚାରକୁ ନିଆଯିବ । ଆଉ ଏକ ଅଙ୍କ କହୁଛି ସମସ୍ତ ତିନି ଦଳ ନିଜ ନିଜ ଶେଷ ମ୍ୟାଚ ହାରି ଯାଆନ୍ତି, ସମସ୍ତେ ୮ ପଏଂଟରେ ରହିବେ ।
ଏପରି କ୍ଷେତ୍ରରେ ଉନ୍ନତ ରନ୍ରେଟ୍ ଥିବା ଦଳ ଚତୁର୍ଥ ସେମିଫାଇନାଲିଷ୍ଟ ହେବ । ହେଲେ ଭାରତର କ୍ରିକେଟ୍ ପ୍ରେମୀ ଚାହାଁନ୍ତି ଭାରତ-ପାକିସ୍ତାନ ସେମିଫାଇନାଲ ହେଉ । ୨୦୧୧ର ଇତିହାସର ପୁନରାବୃତି ସହ ସେମିରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲକୁ ଯାଉ ।