କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଆସିପାରେ ଖୁସିଖବର । ବିସିସିଆଇ ଆଜି ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିପାରେ । କ୍ରିକେଟ ବିଶ୍ୱକପ ଇତିହାସରେ ପୂରା ବିଶ୍ୱକପର ମ୍ୟାଚ୍ ଭାରତରେ ହିଁ ଖେଳାଯିବ । ଚଳିତଥର କାର୍ଯ୍ୟସୂଚୀ ପ୍ରକାଶ ପାଇବାରେ ବିଳମ୍ବ ହେବାର ବଡ କାରଣ ସାଜିଥିଲା ପିସିବି । ବିଶ୍ୱକପର ମ୍ୟାଚକୁ କୌଣସି ନିରପେକ୍ଷ ସ୍ଥାନରେ କରିବାକୁ ପାକିସ୍ତାନ ଦାବି କରିଥିଲା । ତେବେ ଆଇସିସି ପକ୍ଷରୁ ଏହାକୁ ଖାରଜ କରିବା ପରେ ଷ୍ଟାଡିୟମରେ ଖେଳିବାକୁ ନେଇ କେଁ ପୂରାଇଥିଲା । ତେବେ ଆଇସିସି ପକ୍ଷରୁ ପିସିବିର କୌଣସି ସର୍ତ୍ତକୁ ଗ୍ରହଣ କରାଯାଇନଥିଲା । ଫଳେରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ । ଏପରିକି ହାଇବ୍ରିଡ ମଡେଲରେ ବିଶ୍ୱକପ ମ୍ୟାଚ ଖେଳାଯିବା ନେଇ ପାକିସ୍ତାନ ଦେଇଥିଲେ ମଧ୍ୟ ଏହାକୁ ମାନିନଥିଲା ଆଇସିସି ।

Advertisment

ଆଇସିସିର ଏଭଳି ଆଭିମୁଖ୍ୟ ଦେଖିବା ପରେ ଭାରତରେ ମ୍ୟାଚ୍ ଖେଳିବାକୁ ପିସିବି ରାଜି ହୋଇଥିବା ସୂଚନା ମିଳିଛି । ଫଳରେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ନେଇ ବାଟ ଫିଟିଛି । ଆଜି ଅପରାହ୍ନ ସୁଦ୍ଧା ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରିପାରେ ବିସିସିଆଇ ।

ବିଶ୍ୱକପର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ । ସେହିଭଳି ସେମିଫାଇନାଲ ମୁକାବିଲା ମୁମ୍ବାଇ ଓ କୋଲକାତାରେ ଖେଳାଯିବାର ସମ୍ଭାବନା ରହିଛି । ଚେନ୍ନାଇର ଚେପକ ଷ୍ଟାଡିୟମ ମଧ୍ୟ ସେମିଫାଇନାଲ ଦୌଡରେ ରହିଥିଲା । କିନ୍ତୁ ନଭେମ୍ବର ମାସରେ ଚେନ୍ନାଇରେ ବର୍ଷାର ସମ୍ଭାବନା ରହିଥିବାରୁ ସେମିଫାଇନାଲ ମୁକାବିଲା କୋଲକାତାରେ ହୋଇପାରେ ବୋଲି ଏକପ୍ରକାର ସ୍ଥିର ହୋଇସାରିଛି ।