କନକ ବ୍ୟୁରୋ : ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ । ରବିବାର ହେବ ବିଗ ଫାଇଟ । ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳ ଅହମ୍ମବାଦାବାଦ । ପହଁଚିଲେଣି ଦେଶବିଦେଶରୁ ଅତିଥି । ଟିମ ଇଣ୍ଡିଆ ଜର୍ସି ପିନ୍ଧି ପହଁଚୁଛନ୍ତି ଦର୍ଶକ ।

Advertisment

ଏବେ ନଜର ପକାଇବା କ’ଣ ରହିଛି ସାରା ଦେଶର ମାହୋଲ । ଟିମ ଇଣ୍ଡିଆ ବିଜୟକୁ ଚାତକ ପରି ଚାହିଁବସିଛି ସାରା ଦେଶ । କେଉଁଠି ଚାଲିଛି ପୂଜାର୍ଚ୍ଚନା କେଉଁଠି ମନ୍ଦିରରେ କରାଯାଉଛି ସ୍ୱତନ୍ତ୍ର ପୂଜା ପାଠ । ଖେଳାଳୀଙ୍କ ପରିବାର ମଧ୍ୟ ପୂଜାପାଠରେ ବ୍ୟସ୍ତ । ହରିଦ୍ୱାର ରିଷିକେଶରେ ସାଧୁସନ୍ଥ ବି ଟିମ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି । ସେପଟେ କ୍ରିକେଟ ଫିଭରରୁ ବାଦ ପଡି ନାହାଁନ୍ତି ରାଜନେତା । ଟିମ ଇଣ୍ଡିଆକୁ ଚିୟର ଅଫ କରିବାକୁ ଟ୍ରଫି ଆକୃତି କେକ, ମିଠା ପ୍ରସ୍ତୁତ କରାଯାଇଛି । ହୋମ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଶ୍ୱକପ ଟାଇଟେଲ ହାତେଇବା ପାଇଁ ଦେଶବାସୀ ଶୁଭକାମନା ଜଣାଉଛନ୍ତି ।

ବିଶ୍ୱକପ ଫାଇନାଲ ମୁକାବିଲା ପାଇଁ ଆଉ କିଛି ଘଂଟା ବାକି ଥିବାବେଳେ ଟିମ ଇଣ୍ଡିଆକୁ ଛୁଟୁଛି ଶୁଭକାମନା । ବଲିଉଡ ସୁପରଷ୍ଟାର ସଲମାନ ଖାନ ବି ଟିମ ଇଣ୍ଡିଆକୁ ଶୁଭକାମନା ଦେଇଛନ୍ତି ।

ରବିବାର ଦୁନିଆ ଦେଖିବ କ୍ରିକେଟ୍ ବିଶ୍ୱକପ ୨୦୨୩ରେ ଫାଇନାଲ ଫାଇଟ୍ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ।
ବିଶ୍ୱକପ ପାଇଁ ବଡ ଆୟୋଜନ
-ପ୍ରଧାନମନ୍ତ୍ରୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ହେବେ
-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି
-୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ
-ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋର ଆୟୋଜନ
-ଷ୍ଟାଡିୟମରେ କଳାକାରଙ୍କ ନୃତ୍ୟ, ଗୀତ ଦେଖିବାକୁ ମିଳିବ
-ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ ।
-୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ

ମ୍ୟାଚକୁ ସୁରୁଖୁରରେ ସାରିବା ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଦିନକ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ସ୍ୱଳ୍ପ ଭଡାରେ ଗୁଜରାଟକୁ ଟ୍ରେନ ଚାଲିବ । ସେପଟେ ଫାଇନାଲ ଫାଇଟ୍ ପୂର୍ବରୁ ତେଲୁଗୁ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ସୋସିଆଲ ମିଡିଆରେ ଚାଂଚଲ୍ୟ ଖେଳାଇ ଦେଇଛି । ଟୁଇଟ୍ କରି ରେଖା ବୋଜ୍ ଲେଖିଛନ୍ତି, ଯଦି ଭାରତ ବିଶ୍ୱକପ ବିଜୟୀ ହୁଏ ତେବେ ସେ ବିଶାଖାପାଟନା ବେଳାଭୂମିରେ ବିନା କପଡାରେ ଦୌଡିବେ । ରେଖାଙ୍କ ଏହି ଟୁଇଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।