ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ,ଅଷ୍ଟ୍ରେଲିଆର ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ
କନକ ବ୍ୟୁରୋ : ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଟସ୍ ହାରିଲେ ବି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତି ନେଇଥିବାରୁ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଛୁଳି ପଡୁଥିବା ଦର୍ଶକଙ୍କ ଇଣ୍ଡିଆ ଇଣ୍ଡିଆ ନାରା ଭାରତୀୟ ଦଳର ମନରେ ଜୋସ୍ ଭରି ଦେଇଥିଲା । ଆଉ ନିଜ ଷ୍ଟାଇଲ୍ରେ ବ୍ୟାଟିଂ ଆରମ୍ଭ କରି ଦେଇଥିଲେ ହିଟ୍ମ୍ୟାନ ରୋହିତ ଶର୍ମା । ପ୍ରଥମରୁ ହିଁ ଛକା ଚୌକା ବର୍ଷା କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ଥିବା ଲକ୍ଷେ ୩୦ ହଜାର ଦର୍ଶକ ନୀଳ ରଙ୍ଗର ଜର୍ସି ପିନ୍ଧି ଯେତେବେଳେ ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରୁଥାନ୍ତିି, ଲାଗୁଥାଏ ଏହା ଜନସମୁଦ୍ର ନୁହେଁ, ନୀଳ ରଙ୍ଗର ସମୁଦ୍ର ହିଁ ଲହଡ଼ି ଭାଙ୍ଗୁଛି । ତେବେ ଶୁବମନ ଗିଲ୍ ମାତ୍ର ୪ ରନ୍ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ଜାମ୍ପାଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଏହା ନିରାଶ କରିଥିଲା ଭାରତୀୟ ପ୍ୟାନଙ୍କୁ । ଶୁବମନ ଗିଲ୍ ସହଳ ଆଉଟ୍ ହୋଇଥିଲେ ବି ଅନ୍ୟପଟରେ ଅଟକି ନଥିଲା ରୋହିତଙ୍କ ବ୍ୟାଟ୍ । ମିଚେଲ ଷ୍ଟାର୍କ, ଜୋସ୍୍ ହାଜେଲ୍ଉଡ୍, ଗ୍ଲେନ୍ ମାକ୍ସୱେଲ କାହାରିକୁ ଛାଡି ନଥିଲେ ରୋହିତ । ବିରାଟ କୋହଲିଙ୍କ ସହ ମିଶି ସ୍କୋର ବୋର୍ଡକୁ ଆଗେଇ ନେଉଥିବା ବେଳେ ରୋହିତଙ୍କ ୱିକେଟ ପଡ଼ିଥିଲା । ମାତ୍ର ୩୧ ବଲ୍ରେ ଖେଳି ୪୭ ରନ୍ କରିଥିବା ବେଳେ ଛକା ମାରିବାକୁ ଯାଇ ସାକ୍ସୱେଲଙ୍କ ବଲରେ କ୍ୟାଚ୍ ଟେକି ଦେଇଥିଲେ ଭାରତର ଅଧିନାୟକ । ତେବେ ଏହାରି ଭିତରେ ଥିଲା ୪ ଚୌକା ଓ ୩ଟି ଛକା । ଏହା ପରେ ଗୋଟିଏ ଚୌକା ମାରି ଆଉଟ୍ ହୋଇ ଯାଇଥିଲେ ଇନ୍ଫର୍ମ ବ୍ୟାଟର ଶ୍ରେୟସ୍ ଆୟର । ଆଉ ଏହା ପରଠାରୁ ରନ୍ ରେଟ୍ରେ ରୋକ ଲାଗି ଯାଇଥିଲା । ସତର୍କତାର ସହ ବ୍ୟାଟିଂ କରିଥିଲେ କୋହଲି ଓ କେଏଲ ରାହୁଲ । ତେବେ ଅର୍ଦ୍ଧଶତକ କରିବା ପରେ ପ୍ୟାଟ୍ କମିନ୍ସଙ୍କ ବଲ୍ରେ ଦୁଭାର୍ଗଜନକ ଭାବେ ବୋଲ୍ଡ ହୋଇ ଯାଇଥିଲେ ବିରାଟ । ଟିମ୍ ଇଣ୍ଡିଆ ମଧ୍ୟମ କ୍ରମ ବ୍ୟାଟିଂ ଅର୍ଡରକୁ ଲାଗିଥିଲା ବଡ଼ ଝଟ୍କା । ୬୩ଟି ବଲ୍ ଖେଳି ୪ଟି ଚୌକା ସହ ୫୪ ରନ୍ କରିଥିଲେ କୋହଲି । ଚତୁର୍ଥ ୱିକେଟ ପଡ଼ିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅର୍ଡର ତଳକୁ ଖସାଇ ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଏହି ଚାଲ କାମ ଦେଇନଥିଲା । ମାତ୍ର ୯ ରନ୍ କରି ହାଜେଲ୍ଉଡ୍ଙ୍କ ବଲରେ ଆଉଟ୍ ହୋଇଥିଲେ ଜାଡେଜା । ଅଷ୍ଟ୍ରେଲିଆ ଆଗରେ ବଡ଼ ଟାର୍ଗେଟ ରଖିବା ପାଇଁ ଭାରତର ପ୍ରୟାସରେ ଲାଗିଥିଲା ବ୍ରେକ୍ । ଭାରତର ସ୍କୋର ବୋର୍ଡକୁ ଅଟକାଇବା ପାଇଁ ବାରମ୍ବାର ବୋଲିଂ ଚେଂଜ କରିଥିଲେ ପ୍ୟାଟ୍ କମିନ୍ସ । ୭ ଜଣ ବୋଲରଙ୍କୁ ଚାନ୍ସ ଦେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ । ପାଂଚ ୱିକେଟର ପତନ ପରେ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ପାଇଁ ଆସିଥିଲେ । ଗୋଟିଏ ପଟେ ଧେର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ ଲୋକେଶ୍ ରାହୁଲ । ସେଥିରେ ଥିଲା ମାତ୍ର ଗୋଟିଏ ବାଉଣ୍ଡ୍ରି । ୧୦୭ଟି ବଲ୍ ଖେଳି ୬୬ ରନ୍ କରି ଆଉଟ୍ ହୋଇଥିଲେ କେଏଲ ରାହୁଲ । ନିୟମିତ ଭାବେ ଟିମ୍ ଇଣ୍ଡିଆର ୱିକେଟ ପତନ ହେଉଥିବାରୁ ଧିମାଇ ଯାଇଥିଲା ରନ୍ବର୍ଷା । ଏପରିକି ଚାପ ଭିତରେ ସ୍ୱାଭାବିକ ଭାବେ ହାତ ଖୋଲି ଖେଳି ପାରିନଥିଲେ ସ୍କାଏ । ସୂର୍ଯ୍ୟ କୁମାର ଯାଦବ ୨୮ ବଲ୍ ଖେଳି ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ । ମହମ୍ମଦ ସାମି ଗୋଟିଏ ଛକା ମାରି ପ୍ୟାଭିଲିୟନକୁ ଫେରିଥିଲେ । ବୁମରା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । କୁଳଦୀପ ଯାଦବ ୧୦ ରନ୍ କରି ରନ୍ଆଉଟ୍ ହୋଇଥିବା ବେଳେ ୯ ରନ୍ କରି ଅପରାଜିତ ଅଛନ୍ତି ମହମ୍ମଦ ସିରାଜ । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପ୍ରେ ହୋଇଛି ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୫୦ ଓଭରରେ ୨୪୦ ରନ୍ କରି ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ୍, ଜୋସ୍୍ ହାଜେଲ୍ଉଡ୍ ୨ଟି ୱିକେଟ୍ , ପ୍ୟାଟ୍ କମିନ୍ସ ୨ଟି ୱିକେଟ୍ ପାଇଥିବା ବେଳେ ଗ୍ଲେନ୍ ମାକ୍ସୱେଲ ଓ ଆଦମ୍ ଜାମ୍ପାଙ୍କୁ ଅକ୍ତିଆର କରିଥିଲେ ଗୋଟିଏ ଲେଖାଁ ସଫଳତା ।