ବିଶ୍ୱକପ ମହାଲଢେଇ ପାଇଁ ବିଜୟଙ୍କୁ ବାଛିଲା ଟିମ୍ ଇଣ୍ଡିଆ । ୧୫ ଜଣିଆ ଦଳରେ ସାମିଲ ହେଲେ ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କର ।

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ପରେ ବିଜୟ ଶଙ୍କରଙ୍କୁ ନେଇ ଖୁବ୍ ଚର୍ତ୍ତା ।

200

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ପରେ ବିଜୟ ଶଙ୍କରଙ୍କୁ ନେଇ ଖୁବ୍ ଚର୍ତ୍ତା । ଟିମ୍ ଇଣ୍ଡିଆର ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବେ ତାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱର ଅବସାନ ହେବା ସହ ଦଳର ବିଜୟରେ ବିଜୟଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିବ ବୋଲି ଆସ୍ଥା ପ୍ରକଟ କରିଛି ଦଳୀୟ ମ୍ୟାନେଜମେଂଟ ।

ଭାରତର ବିଶ୍ୱକପ୍ ଅଭିଯାନ ପାଇଁ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କର । ଅମ୍ବାତି ରାଇଡୁ, ଅଜିଙ୍କ୍ୟ ରାହାଣେ, ମନିଷ ପାଣ୍ଡେ, ରିଷଭ ପନ୍ଥଙ୍କ ପରି ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ବିଜୟ ପାଇଛନ୍ତି ବଶ୍ୱକପ୍ ଟିକେଟ୍ । ଗତ ଜାନୁଆରୀରେ ମେଲବର୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପଦାର୍ପଣ ଦିନିକିଆ ଖେଳିଥିବା ବିଜୟ ଶଙ୍କର ଏ ଯାଏଁ ମାତ୍ର ୯ଟି ଦିନିକିଆ ହିଁ ଖେଳିଛନ୍ତି । ହେଲେ ସୀମିତ ସୁଯୋଗର ସଦବ୍ୟବହାର କରି ଜାତୀୟ ଦଳର ବିଶ୍ୱବିଜୟ ଅଭିଯାନର ଅନ୍ୟତମ ମହାରଥୀ ଭାବେ ଉଭା ହୋଇଛନ୍ତି । ନିଜ ଏକଦିବସୀୟ କ୍ୟାରିଅରର ଏହି ୯ ମ୍ୟାଚ ଭିତରେ ୩୩ ହାରରେ ମାତ୍ର ୧୬୫ ରନ୍ କରିଛନ୍ତି ବିଜୟ ଶଙ୍କର । ତାଙ୍କ ଖାତାରେ ଗୋଟିଏ ବି ଶତକ କିମ୍ବା ଅର୍ଦ୍ଦଶତକ ନଥିବା ବେଳେ ସର୍ବାଧିକ ଦିନିକିଆ ସ୍କୋର ରହିଛି ୪୬ । ସେହିପରି ବୋଲିଂରେ ମାତ୍ର ୨ଟି ଦିନିକିଆ ୱିକେଟ ପାଇଛନ୍ତି ଏହି ଯୁବ ଖେଳାଳି । ୪୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଥିବା ବିଜୟ ଶଙ୍କର ଆଇପିଏଲରେ ଏବେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଅମ୍ବାତି ରାଇଡୁଙ୍କ ଖରାପ ଫର୍ମ ପରେ ହିଁ ସାମନାକୁ ଆସିଥିଲେ ବିଜୟ ଶଙ୍କର । ପୂର୍ବରୁ କେବେ ବି ଦିନିକିଆରେ୪ ନମ୍ବରରେ ବ୍ୟାଟିଂ କରିନଥିବା ବିଜୟ ଶଙ୍କର ପ୍ରଥମ ବିଶ୍ୱକପ୍ ପାଇଁ ବେଶ୍ ଉଲ୍ଲସିତ । ମୁଖ୍ୟ ଚୟନକର୍ତ୍ତା ଏମ୍ ଏସ୍ କେ ପ୍ରସାଦ ମଧ୍ୟ ବିଜୟ ହିଁ ୪ ନମ୍ବରରେ ବ୍ୟାଟିଂ କରିବେ, ଏକଥା ସ୍ପଷ୍ଟ କରିସାରିଛନ୍ତି । ବିଶ୍ୱକପ୍ ଦଳରେ ବିଜୟ ସ୍ଥାନ ପାଇବାକୁ ନେଇ ବହୁ ପୂର୍ବତନ କ୍ରିକେଟର ବି ସ୍ୱାଗତ କରିଛନ୍ତି । ମୁଖ୍ୟତଃ ବ୍ୟାଟିଂ, ବୋଲିଂ ସହ ଜଣେ ଚମକ୍ରାର ଫିଲଡର ଭାବେ ମଧ୍ୟ ତ୍ରିମୁଖୀ ଗୁଣର ଅଧିକାରୀ ବିଜୟ ଶଙ୍କର, ଇଂଲଣ୍ଡର ମେଘମୁକ୍ତ ପରିବେଶରେ ଦଳ ପାଇଁ ଟ୍ରମ୍ପକାର୍ଡ ହୋଇପାରିବାର ବଡ ସମ୍ଭାବନା ରହିଛି ।