କନକ ବ୍ୟୁରୋ : ସାରା ବିଶ୍ୱ ଆଜିର ଦିନକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରୁଛି । କର୍କଟ ଏକ ଏଭଳି ରୋଗ ଯାହାକୁ ଚିହ୍ନଟ କରି ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନକରାଇଲେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଏହି ଦିନକୁ ପାଳନ କରିବାର ଉର୍ଦ୍ଦେଶ୍ୟ ହେଉଛି ଲୋକଙ୍କୁ କର୍କଟ ରୋଗ ନେଇ କିଛି ସୂଚନା ଦେବା ଓ ସଚେତନ କରାଇବା । ବିଶେଷଜ୍ଞଙ୍କ ମତରେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କରିପାରିଲେ ଆପଣ କର୍କଟ ଠାରୁ ନିଜକୁ ଦୂରେଇ ରଖିପାରିବେ ।

Advertisment

ତମାଖୁ ସେବନ ଠାରୁ ନିଜକୁ ଦୂରେଇ ରଖନ୍ତୁ : ବିଶ୍ୱରେ ଚିହ୍ନଟ ହେଉଥିବା କର୍କଟ ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କର୍କଟର କାରଣ ତମାଖୁ ସେବନ ବୋଲି ଜଣାପଡିଛି । ତମାଖୁ ସେବନ ବା ଧୁମ୍ରପାନ ଆପଣଙ୍କ ହାର୍ଟ, ଗଳା, ମୁହଁ, ଖାଦ୍ୟନଳୀ ଓ ଗର୍ଭାଶୟକୁ ଆକ୍ରାନ୍ତ କରିଥାଏ । ମୁହଁ ଓ ପାନକ୍ରିଆଜକୁ ତମାଖୁ ଓ ଧୂଆଁ ସର୍ବାଧିକ ପ୍ରଭାବିତ କରିଥାଏ । କେବଳ ଆପଣ ତମାଖୁ ଖାଇଲେ ଯେ ଏଭଳି ହୋଇଥାଏ ତା ନୁହେଁ, ଯଦି ଆପଣ ଧୁମ୍ରପାନ କରୁଥିବା ଲୋକଙ୍କ ପାଖରେ ବସୁଛନ୍ତି ତ ତାହା ବି ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ ।

କର୍କଟରୁ ରକ୍ଷା ପାଇବା ପାଇଁ ଆପଣ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ, ରିଫାଇନଡ ସୁଗାର, ଓ ଚର୍ବି ଜାତୀୟ ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ । ମାଂସ କମ୍ ଖାଇବା ସହ ଆଲକହଲର ମାତ୍ରା ସୀମିତ ରଖନ୍ତୁ , ଏହାସହ ନିଜର ଓଜନ ସନ୍ତୁଳିତ ରଖନ୍ତୁ । ଖାଦ୍ୟରେ ନିଶ୍ଚିତ ଫଳ, ସବୁଜ ପନିପରିବା ଓ ଡାଲି ଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ ।

ଅନ୍ୟପଟେ ସର୍ବଦା ନିଜକୁ ଫିଟ ରଖନ୍ତୁ , ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ସର୍ବନିମ୍ନ ୧୫୦ ମିନିଟ ବ୍ୟାୟାମ କରନ୍ତୁ , ଅନ୍ୟପଟେ ଚର୍ମ କର୍କଟ ଏବେ ଏକ ସାଧାରଣ ରୋଗ ହୋଇଗଲାଣି । ଏଥିରୁ ରକ୍ଷା ପାଇବା ପାଇଁ ଟାଣ ଖରାରୁ ନିଜକୁ ଦୂରେଇ ରଖନ୍ତୁ । ସକାଳ ୧୦ ଟାରୂୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଯଥା ସମ୍ଭବ ସୂର୍ଯ୍ୟ କିରଣରୁ ଦୂରେଇ ରୁହନ୍ତୁ ।

କର୍କଟରୁ ରକ୍ଷା ପାଇବାକୁ ଆପଣ ଅସୁରକ୍ଷିତ ଯୌନ ସଂପର୍କରୁ ନିଜକୁ ଦୂରେଇ ରଖନ୍ତୁ । ଅନେକ ଲୋକଙ୍କ ସହ ଶାରିରୀକ ସଂପର୍କ ରଖିବା ଦ୍ୱାରା ସେକ୍ସୁଆଲି ଟ୍ରାନ୍ସମିଟେଡ ଇନଫେକସନର ଭୟ ରହିଥାଏ । ଏହା ଫଳରେ ଆପଣଙ୍କୁ ହାର୍ଟ ଓ ଲଙ୍ଗସ୍ କ୍ୟାନସର ହେବାର ସମ୍ଭାବନା ବଢିଥାଏ ।

କହିରଖୁ କି ଯେତେଶୀଘ୍ର କର୍କଟ ରୋଗର ଚିହ୍ନଟ ହୋଇପାରିବ ତାହାର ଚିକିତ୍ସା ହୋଇପାରିବ । ଏଥିପାଇଁ କିଛି କିଛି ବ୍ୟବଧାନରେ ଆପଣ ମେଡିକାଲ ଚେକଅପ୍ କରାଇବାର ଆବଶ୍ୟକତା ରହିଛି ।