ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା , କ’ଣ ଏହି ରୋଗର କାରଣ ଏବଂ କିପରି ଏଥିରୁ ସୁରକ୍ଷିତ ରହିବେ ଜାଣନ୍ତୁ । 

331

ସାରା ଦୁନିଆରେ ପ୍ରତିବର୍ଷ ଫେବୃୟାରୀ ୪ କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କ୍ୟାନସରଏକ ବହୁତ ଘାତକ ରୋଗ । ଏହି ରୋଗ ବ୍ୟକ୍ତିଙ୍କୁ ଧିରେ ଧିରେ ମୃତ୍ୟୁ ମୁଖକୁ ନେଇଯାଏ । ଅସ୍ୱାସ୍ଥ୍ୟକର ଓ ଅସାବଧାନ ଜୀବନଶୈଳୀ ଏହି ପ୍ରାଣଘାତକ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ । ଅନେକ ଅଧ୍ୟୟନରୁ ଏହା ସାବ୍ୟସ୍ତ ହୋଇସାରିଛି ଯେ, ଆମର ଖାଦ୍ୟପାନୀୟର ଅଭ୍ୟାସ ଆମକୁ କ୍ୟାନସରରୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଆସନ୍ତୁ ବିଶ୍ୱ କର୍କଟ ଦିବସରେ ଜାଣିବା କ୍ୟାନସରର ମୁଖ୍ୟ କାରଣ ଓ ଏଥିରୁ ବଂଚିବାର ଉପାୟ ।

କେମିତି ହୁଏ କ୍ୟାନସର : ଶରୀରରେ ୧୦୦ରୁ ୧୦୦୦ ପର୍ଯ୍ୟନ୍ତ ଖରାପ କୋଷ ଥାଏ । ଆମ ଶରୀରରେ କୋଷ ସୃଷ୍ଟି ହୋଇଥାଏ ଓ ଖରାପ କୋଷ ସମାପ୍ତ ହୋଇଥାଏ । କ୍ୟାନସର ହେଲେ ନାଲି ଓ ଧଳା ରକ୍ତ କୋଷର ସନ୍ତୁଳନ ବିଗିଡିଯାଏ । ଏହାଦ୍ୱାରା କୋଷର ବୃଦ୍ଧି ନିୟନ୍ତ୍ରଣ ବାହାରେ ହୋଇଯାଏ । ଯାହା କ୍ୟାନସରର ରୂପ ନେଇଯାଏ । ଜେନେଟିକ୍ସ, ଖାଦ୍ୟ ପାନୀୟ ଓ ଲାଇଫ ଷ୍ଟାଇଲ, ଧୂମପାନ ଇତ୍ୟାଦି କ୍ୟାନସରର ମୁଖ୍ୟ କାରଣ ହୋଇଥାଏ ।

କ୍ୟାନସରରୁ କେମିତି ସୁରକ୍ଷିତ ରହିବେ ?

• ଅନେକ ଥର ମୋଟାପଣର କାରଣ ମଧ୍ୟ କ୍ୟାନସରର ଆଶଙ୍କାକୁ ବଢ଼ାଇଦେଇଥାଏ । ସେଥିପାଇଁ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

• ନିୟମିତ ଭାବେ ବ୍ୟାୟାମ କରନ୍ତୁ ଓ ଶାରୀରିକ ଭାବେ ସକ୍ରିୟ ରୁହନ୍ତୁ ।

• ସ୍ୱାସ୍ଥ୍ୟକର ଖାଦ୍ୟର ସେବନ କରନ୍ତୁ । ନିଜ ଭୋଜନରେ ପତ୍ର ଥିବା ପନିପରିବା, ଶାଗକୁ ସାମିଲ କରନ୍ତୁ ।

ଦେଶରେ କ୍ୟାନସର ଏବେ ମହାମାରୀର ରୂପ ନେଇଛି । ଭାରତରେ ହୁ ହୁ ହୋଇ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଗତ ୬ ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଭାରତରେ ୧୫.୭% ବଢିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର ପ୍ରିଭେନସନ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଚଳିତ ବର୍ଷ ଦେଶରେ ୧୧.୫ ଲକ୍ଷ କ୍ୟାନସର ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ ମଧ୍ୟ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପ୍ରାୟ ୪୫-୫୦ହଜାର ନୂତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧.୮ଲକ୍ଷ କର୍କଟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମୁଖ ଗହ୍ବର କର୍କଟ ଥିବା ବେଳେ ଏହା ପଛକୁ ରହିଛି ସ୍ତନ ଓ ଜରାୟୁ କର୍କଟ। ରାଜ୍ୟରେ କର୍କଟ ରୋଗ ପାଇଁ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ରହିଛି। ତେବେ ସେଠାରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଭିଡ଼ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ସଂପ୍ରସାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି। ଏଥିପାଇଁ ୧୫ ଟି ନୂତନ କର୍କଟ ରୋଗ ପ୍ରତିଷ୍ଠାନ କରାଯିବ। ଲେଭଲ-୧ ର ୨ଟି ଅନୁଷ୍ଠାନ, ଲେଭଲ-୨ ର ୭ ଟି ଓ ଲେଭଲ-୩ ର ୬ ଟି ପ୍ରତିଷ୍ଠାନ ନିର୍ମାଣ ପାଇଁ ଯୋଜନା ହୋଇଛି। ଏଥିପାଇଁ ଓଡ଼ିଶା କର୍କଟ ଯନ୍ତ୍ର ପ୍ରତିଷ୍ଠାନ ଗଠନ କରାଯିବା ସହିତ ରାଜ୍ୟ ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଅଧୀନରେ ନିର୍ମାଣ ହେବାକୁ ଥିବା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଲେଭଲ-୨ର ୩ଟି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ କରାଯିବ। ସେହିପରି ଜିଲ୍ଲାସ୍ତରରେ ଡେ କେୟାର କେନ୍ଦ୍ର ଖୋଲାଯାଇଛି। ଯେଉଁ ବ୍ୟକ୍ତିମାନଙ୍କର କର୍କଟ ରୋଗ ଚିହ୍ନଟ ହେବ ସେମାନେ କେମୋ ପାଇଁ ଆଚାର୍ୟ୍ୟ ହରିହର କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ। ୩୨ଟି ସ୍ଥାନରେ କେମୋ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାସହ କର୍କଟ ରୋଗୀଙ୍କ କ୍ଷେତ୍ରରେ ଯନ୍ତ୍ରଣା ଉପଶମ ଗୁରୁତ୍ବପୂର୍ଣ୍ଣ। ଏ ଦୃଷ୍ଟିରୁ ଜିଲ୍ଲାସ୍ତରରୁ ପେଲିଆଟିଭ କେୟାର କାର୍ଯ୍ୟ କରୁଛି। ରାଜ୍ୟର ୧୦ଟି ସ୍ଥାନରେ ଏହା ଥିବା ବେଳେ ଆଗକୁ ଅନ୍ୟ ସ୍ଥାନକୁ ଏହାକୁ ସଂପ୍ରସାରଣ କରାଯିବ।

ତେବେ ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ଦିନକୁ ଦିନ ବୃଦ୍ଧି ପାଉଛି। ସ୍ତନ କର୍କଟର ଚିହ୍ନଟ ପାଇଁ ରାଜ୍ୟର ୪ଟି ମେଡିକାଲ କଲେଜରେ ମାମୋଗ୍ରାଫି ମେସିନ୍ ଲଗାଯିବ। କୋରାପୁଟ, ବାରିପଦା, ବୁର୍ଲା ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ଆସନ୍ତା ୬ ମାସ ଭିତରେ ଏହି ମେସିନ୍ କାର୍ଯ୍ୟ କରିବ। ଏଥିପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ମେଡିକାଲ ନିଗମ ଜରିଆରେ ଏହି ମେସିନ୍ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜରାୟୁ କର୍କଟକୁ ଚିହ୍ନଟ କରିବା ପାଇଁ ଏସସିବି ମେଡିକାଲ କଲେଜରେ ବାଇଓ କେମିଷ୍ଟ୍ରି ବିଭାଗ ରହିଛି। କର୍କଟ ରୋଗ ହେବା ପୂର୍ବରୁ ଚିହ୍ନଟ କରାଯିବାର ବ୍ୟବସ୍ଥା ରହିଛି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ କର୍କଟ ରୋଗ ପାଇଁ ଡେ କେୟାର ସେଣ୍ଟର ରହିଛି। ଆଗକୁ ସେଠାରେ ଲେଭଲ-୨ ର କର୍କଟ ପ୍ରତିଷ୍ଠାନ ନିର୍ମାଣ କରାଯିବ। ୫୦ ଶଯ୍ୟା ବିଶିଷ୍ଟ ଏହି ପ୍ରତିଷ୍ଠାନରେ କର୍କଟ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରାଯିବ। ଏଥିପାଇଁ ୪ଟି ଓଟି ନିର୍ମାଣ କରାଯିବ। ୨୦୧୯/୨୦ ଆର୍ଥିକ ବର୍ଷରେ ଏଥିପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୂର୍ତ ବିଭାଗ ଆସନ୍ତା ୨ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ସମୟରେ ଆବଶ୍ୟକ ଯନ୍ତ୍ରପାତି ଓ ପ୍ରତିଷ୍ଠାନ ପାଇଁ ଜରୁରୀ ପଦବି ସୃଷ୍ଟି କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ୫ବର୍ଷ ଭିତରେ ଏକାଧିକ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ କର୍କଟ ରୋଗର ଅତ୍ୟାଧୁନିକ ଚିକିତ୍ସା ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।