କରୋନା କଟକଣା ପାଇଁ କଲବଲ ଶ୍ରମିକ: ଭୂତାଣୁର ଭୟ ଠାରୁ ଅଧିକ ଯନ୍ତ୍ରଣା ଦାୟକ ହେଉଛି ପେଟର ଭୋକ । ବିଶ୍ୱବ୍ୟାଙ୍କର ରିପୋର୍ଟ, କରୋନା କଟକଣା ପାଇଁ ଭାରତରେ ପ୍ରଭାବିତ ହୋଇଛନ୍ତି ୪କୋଟିରୁ ଅଧିକ ଶ୍ରମିକ, ଦୁଇ ଓଳି ଖାଇବା ପାଇଁ ହାତ ପାତୁଛନ୍ତି ଲୋକ ।

267

କନକ ବ୍ୟୁରୋ: ସାରା ଦେଶରେ ଏବେ ଏଭଳି ଚିତ୍ର ଆପଣ ପ୍ରାୟ ପ୍ରତ୍ୟେକ ଦିନ ଟିଭି ସ୍କ୍ରିନରେ ଦେଖୁଥିବେ । ସାଧାରଣତଃ ଶ୍ରମିକ ଶ୍ରେଣୀର ଏହି ଲୋକେ ପ୍ରତିଦନ ରୋଜଗାର କରନ୍ତି ଓ ନିଜର ଗୁଜୁରାଣ ମେଂଟାନ୍ତି । କିନ୍ତୁ କରୋନା ଏମାନଙ୍କ ଉପରେ ଏଭଳି ପ୍ରହାର ପକାଇଛି, ଯେ ଆଉ ରୋଜଗାରର ବାଟ ନାହିଁ, ତେଣୁ ଯେଉଁମାନେ ଖାଇବା ବାଂଟୁଛନ୍ତି ତାଙ୍କ ପାଖରେ ପହଂଚି ଯାଉଛନ୍ତି ।

ଏହି ଦୃଶ୍ୟ ଦେଖିଲେ, ଯେ କେହି ଅନୁମାନ କରିବ ଦେଶର ଏକ ବଡ ଜନସଂଖ୍ୟା ଭୋକିଲା ଅଛି । ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ପରେ ପରେ ସାରା ଦେଶରେ ତାଲା ବନ୍ଦ । ଆଉ ତାଲା ବନ୍ଦ ଫଳରେ ସବୁ ବନ୍ଦ । କିନ୍ତୁ ଜଣେ ଭୋକିଲା ଶ୍ରମିକର ଭୋକ ଏହି ତାଲା ବନ୍ଦକୁ ବୁଝେ ନାହିଁ । ଦୁଇ ଓଳି ଖାଇବା ତ ଦରକାର । କରୋନା ଭଳି ଏକ ନିଷ୍ଠୁର ବ୍ୟାଧି ଏଭଳି ଭୟ ତିଆରି କରିଛି, ଯେ ସରକାରରେ ରହି ଯେଉଁମାନେ ନିଷ୍ପତି ନେଉଛନ୍ତି, ସେମାନେ ବି ଏହି ଶ୍ରମିକମାନଙ୍କ କଥା ଚିନ୍ତା କରିପାରୁନାହାନ୍ତି । କରୋନାର ଭୟ ଏଭଳି ମାଡିଛି, ଯେ ଆଗ କରୋନାରୁ ବଂଚିବା ଏବଂ ପରେ ଯାହା ହେବ ଏହି ନ୍ୟାୟରେ ଚିନ୍ତା କରୁଛନ୍ତି ।

ବିଶ୍ୱ ବ୍ୟାଙ୍କର ରିପୋର୍ଟ କହୁଛି ତାଲା ବନ୍ଦ ସାରା ଦେଶରେ ୪ କୋଟି ଶ୍ରମିକଙ୍କ ଜୀବନ ଜୀବିକା ଛଡାଇ ନେଇଛି । ଯେଉଁମାନେ ନିଷ୍ପତି ସରକାରରେ ବସି ନିଷ୍ପତି ନେଉଛନ୍ତି, ସେମାନେ ବା କେମିତି ଜାଣିବେ, ଏମାନଙ୍କ ପାଇଁ କରୋନା ନୁହେଁ ଭୋକ ହିଁ ବଡ ଶତ୍ରୁ । ଅବଶ୍ୟ ସମସ୍ତଙ୍କର ଅଗ୍ରାଧିକାର ଭିନ୍ନ ଭିନ୍ନ ଥାଏ, କାହା ପାଇଁ କରୋନାର ଡର ବଡ ତ ଆଉ କାହା ପାଇଁ ପେଟର ଭୋକ ବଡ ।