ଆଜି ବିଶ୍ୱ ଗଣ୍ଠିବାତ ଦିବସ : ମଧୁମେହ ଓ ରକ୍ତଚାପ ଭଳି ଗଣ୍ଠିବାତ ବିଶ୍ୱର ବଡ ସମସ୍ୟା

91

କନକ ବ୍ୟୁରୋ : ଆଜି ବିଶ୍ୱ ଗଣ୍ଠିବାତ ଦିବସ । ଗଣ୍ଠିବାତ ରୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ଦିବସ’ ଭାବେ ପାଳନ କରାଯାଏ । ଏହି ରୋଗକୁ ବିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଯାଏ । ସୁଚନା ଅନୁସାରେ ଭାରତର ପ୍ରାୟ ୧୮ କୋଟି ଲୋକ ଗଣ୍ଠିବାତ ଜନିତ ରୋଗରେ ପିଡ଼ିତ । ମଧୁମେହ, ରକ୍ତଚାପ ଭଳି ଗଣ୍ଠିବାତ କେବଳ ଭାରତର ନୁହେଁ, ଏହା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖିବାକୁ ମିଳୁଛି । ଭାରତର ଜନସଂଖ୍ୟାର ପ୍ରାୟ ୧୪ ପ୍ରତିଶତ ଲୋକ ଗଣ୍ଠିବାତ ପାଇଁ ଡ଼ାକ୍ତରଙ୍କ ପରାମର୍ଶ ନେଉଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଏହି ଗଣ୍ଠିବାତ ସମସ୍ୟାରେ ଅଧିକ ପିଡ଼ିତ ବୋଲି ଜଣାପଡ଼ିଛି ।

ହାତର କଚଟି ସହିତ ସମସ୍ତପ୍ରକାର ଛୋଟବଡ ଗଣ୍ଠି ଏହି ରୋଗରେ ଦରଜ ହେବା ସହ ଫୁଲେ । ଏହା ଏକ ଅଟୋଇମ୍ୟୁନ ରୋଗ ଯେଉଁଥିରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଅନିୟନ୍ତ୍ରିତ ହୋଇ ବିଭିନ୍ନ ଗଣ୍ଠିକୁ ଆକ୍ରମଣ କରେ । ରିଉମାଟଏଡ୍‌ ଫ୍ୟାକ୍ଟର ଏବଂ ଆଣ୍ଟି ସିସିପି ଆଦି କ୍ଷତିକାରକ ଆଣ୍ଟିବଡି ଏଥିରେ ଦେଖାଯାଏ । ଧୂମପାନ ଦ୍ବାରା ଆଣ୍ଟିବଡି ଅଧିକ ସୃଷ୍ଟି ହେଉଥିବାରୁ ଗଣ୍ଠିବାତ ରୋଗର ପ୍ରଭାବ ଅଧିକ ହୁଏ । ଏହି ରୋଗରେ ଗଣ୍ଠିବାତ ଛଡା ବେଳେବେଳେ ଆଖି ମଧ୍ୟ ଲାଲ୍‌ ପଡି ଦରଜ ହୋଇଥାଏ । ଠିକ୍‌ ସମୟରେ ରୋଗ ନିୟନ୍ତ୍ରିତ ନହେଲେ ପରିସ୍ରାରେ ପ୍ରୋଟିନ୍‌ ଯିବା, ଗୋଡରେ ଘା’ ହେବା ସହ ଶ୍ବେତ ରକ୍ତକଣିକା କମିଯାଇଥାଏ । ଫୁସ୍‌ଫୁସ ମଧ୍ୟ ଏଥିରେ ପ୍ରଭାବିତ ହେଉଥିବା ଯୋଗୁ ଶୁଖିଲା କାଶ ହେବା ସହ ଅଳ୍ପବାଟ ଚାଲିଲେ ବି ଧଇଁସଇଁ ଲାଗେ। ରୋଗର ଲକ୍ଷଣ, ହାଡ ଏକ୍ସ-ରେ, ରିଉମାଟଏଡ ଫ୍ୟାକ୍ଟର ଏବଂ ଆଣ୍ଟି ସିସିପି ପରୀକ୍ଷା କରି ଏହା ସମ୍ପର୍କରେ ଜଣାପଡିଥାଏ ।

ଚିକିତ୍ସା ପଦ୍ଧତି : ରୋଗ ନିୟନ୍ତ୍ରଣ ଲାଗି ମିଥୋଟ୍ରେକ୍ସିଟ୍‌, ଲେପ୍ଟୁନୋମାଇଡ୍‌, ସଲ୍‌ଫାସାଲାଡାଇନ୍‌ ଆଦି ଔଷଧ ବ୍ୟବହାର କରାଯାଏ । ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ଲାଗି କେତୋଟି ବାୟୋଲୋଜିକ ଇଞ୍ଜେକ୍‌ସନ ଯଥା- ରିଟୁକ୍ସିମାବ୍‌, ଆଣ୍ଟି ଟିଏନ୍‌ଏଫ୍‌, ଆଣ୍ଟି ଆଇଏଲ୍‌-୬ ଆଦି ଔଷଧର ବ୍ୟବହାର ବେଳେବେଳେ ଦରକାର ହୁଏ । ଏସବୁ ଇଞ୍ଜେକ୍‌ସନ ଦେବା ପୂର୍ବରୁ ଯକ୍ଷ୍ମାରୋଗ, ହେପାଟାଇଟିସ୍‌-ବି ଓ ହେପାଟାଇଟିସ୍‌-ସି ଲାଗି ରକ୍ତପରୀକ୍ଷା କରାଯାଏ ।

ବ୍ୟାୟାମ ଓ ଖାଦ୍ୟ : ନିୟମିତ ଫିଜିଓଥେରାପି ବା ଉପଯୁକ୍ତ ବ୍ୟାୟାମ ଦ୍ବାରା ଗଣ୍ଠିର ନମନୀୟତା ବଜାୟ ରଖିହୁଏ । କେବଳ ଗାଉଟ୍‌ ବା ୟୁରିକ୍‌ ଏସିଡଜନିତ ଗଣ୍ଠିବାତ ରୋଗକୁ ଛାଡିଦେଲେ ଅନ୍ୟ କୌଣସି ଗଣ୍ଠିବାତ ରୋଗରେ ଖାଦ୍ୟର ସେପରି ବାରଣ ନଥାଏ । ତେବେ ସୁଷମ ଖାଦ୍ୟ ଖାଇବା ସହିତ ଧୂମପାନ ଓ ମଦପାନରୁ ବିରତ ରହିବା ଜରୁରୀ ।