କନକ ବ୍ୟୁରୋ : ଲୁହଭିଜା ଆଖିରେ ନିଜର ପ୍ରିୟ କଣ୍ଠଶିଳ୍ପୀ ଜୁବୀନ ଗର୍ଗଙ୍କୁ ବିଦାୟ ଜଣାଇଛନ୍ତି ହଜାର ପ୍ରଶଂସକ । ପୈତୃକ ଗାଁ ଆସାମର କାମରୂପ ଜିଲ୍ଲା କାମରକୁଚିରେ ଜୁବୀନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରଶଂସକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Advertisment

ଜୁବୀନ ଗର୍ଗଙ୍କ ନିଧନରେ କାନ୍ଦୁଛି ଆସାମ । ହଠାତ ନିଜ ମାଟିର ପୁଅର ବିୟୋଗକୁ ବିଶ୍ୱାସ କରି ପାରୁନାହାନ୍ତି । ପିଲାଠୁ ନେଇ ଯୁବପିଢ଼ି ଓ ବୟସ୍କଙ୍କ ଠାରୁ ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମର୍ମାହତ ହୋଇପଡ଼ିଛନ୍ତି । ଆଜି ଗୁଆହାଟି ନିକଟସ୍ଥ ପୈତୃକ ଗାଁ କାମରକୁଚିରେ ଶେଷଦର୍ଶନ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜୁବୀନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ସମ୍ମାନରେ ଦିନକ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି ।

ମଞ୍ଚ ଉପରେ ଯେବେ ଜୁବୀନ ଗୀତ ଗାଉଥିଲେ, ସେତେବେଳେ ଛୁଟି ଆସୁଥିଲେ ହଜାର ଶ୍ରୋତା ଓ ଦର୍ଶକ । ଶେଷଯାତ୍ରାରେ ବି ହଜାର ହଜାର ପ୍ରଶଂସକ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରବିବାର ସିଙ୍ଗାପୁରରୁ ପାର୍ଥିବ ଶରୀର ଆସାମରେ ପହଞ୍ଚିବା ପରେ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଥିଲେ ଅଗଣିତ ପ୍ରଶଂସକ । କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ପୂରା ପରିବେଶ । ଆଖିରେ ଲୁହ ଏବଂ ଭଙ୍ଗା ହୃଦୟ ସହିତ ନିଜର ପ୍ରିୟ ଗାୟକଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ପ୍ରଶଂସକ ଏଭଳି ଭିଡ଼ ହୁଏତ ବିରଳ ।

ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରୁ ଆସିଥିଲା ଜୁବୀନଙ୍କ ମୃତ୍ୟୁ ଖବର । କାର୍ଯ୍ୟକ୍ରମ ପାଇଁ ଯାଇଥିବା ଜୁବୀନ ଫୁରସତ ସମୟରେ କରିଥିଲେ ସ୍କୁବା ଡାଇଭିଂ । ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ଘଟଣାକୁ ସନ୍ଦେହଜନକ କହି ତଦନ୍ତ ପାଇଁ ପରିବାର ଦାବି କରିଥିଲେ । ପ୍ରଶଂସକ, ପରିବାର ଓ ସମ୍ପର୍କୀୟଙ୍କ ଦାବି ପରେ ଦ୍ୱିତୀୟ ଥର ପାଇଁ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ଆସାମ ସରକାର ମାମଲା ସିଆଇଡିକୁ ହସ୍ତାନ୍ତର କରିଛନ୍ତି । ସେପଟେ ତାଙ୍କ ମ୍ୟାନେଜର ଓ କାର୍ଯ୍ୟକ୍ରମ ଆୟୋଜକଙ୍କ ତଦନ୍ତ ପରିସରକୁ ନିଆଯାଇଛି ।