କନକ ବ୍ୟୁରୋ : ପୁଣି ଆଇପିଏଲରେ ନଜର ଆସିବେ ଟିମ୍ ଇଣ୍ତିଆର ପୂର୍ବତନ ଷ୍ଟାର ଅଲରାଉଣ୍ତର ଯୁବରାଜ ସିଂହ । ଏଥର ଖେଳାଳି ରୂପରେ ନୁହେଁ, ବରଂ କୋଚ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଶୁଣିବାକୁ ମିଳୁଛି । ଏନେଇ ସୋସିଆଲ ମିଡିଆରେ ଯୁବରାଜଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜଙ୍କୁ କୋଚ ଭାବେ ନିୟୋଜିତ କରିବ ପାଇଁ ଯୋଗାଯୋଗରେ ଅଛନ୍ତି । ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ପୁଣି ଥରେ ଦାଦା(ସୌରଭ ଗାଙ୍ଗୁଲି) ଓ ଯୁବରାଜଙ୍କ ଯୋଡ଼ି ଫିଲ୍ଡ ଉପରେ ଦେଖିବାକୁ ମିଳିବ ।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଲଗାତାର ୩ ବର୍ଷ ହେବ ଖରାପ ରହିଛି । ତିନି ବର୍ଷ ହେବ ପ୍ଲେ ଅଫରେ ବି ସାମିଲ ହୋଇପାରିନି ଦିଲ୍ଲୀ । ସେଥିପାଇଁ ଆକ୍ସନ ମୋଡରେ ଦିଲ୍ଲୀ କ୍ୟାପିଟାଲ୍ସ । ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଏଣ୍ଟିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ କରୁଥିଲେ । ତେବେ ପଏଣ୍ଟିଙ୍ଗଙ୍କ ବଦଳରେ ଯୁବରାଜଙ୍କୁ ଦଳ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଖେଳାଳି ଭାବେ ମଧ୍ୟ ଯୁବରାଜ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । ମୋଟ ୧୩୨ ଟି ମ୍ୟାଚରେ ୨୭୫୦ ରନ କରିଛନ୍ତି ଯୁବରାଜ । ଆଇପିଏଲରେ ତାଙ୍କର ୧୮ଟି ଅର୍ଦ୍ଧଶତକ ବି ରହିଛି ।