କନକ ବ୍ୟୁରୋ : ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଲିଙ୍କ୍ର ଖୋଳତାଡ଼ବେଳେ ସାମ୍ନାକୁ ଆସିଛି କୋଲକାତା ଲିଙ୍କ୍ । ଗୋଟିଏ ଭିଡିଓରେ ଜ୍ୟୋତି ଓଡ଼ିଶାର ପ୍ରିୟଙ୍କା ସେନାପତି ଏବଂ କୋଲକାତାର ବ୍ଲଗର ସୌମିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଦେଖିବାକୁ ମିଳିଛି । ତିନି ଜଣ ଯାକ ମିଶି କାଶ୍ମୀରରେ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । କୁହାଯାଉଛି, ପ୍ରିୟଙ୍କାଙ୍କ ପରେ ସୌମିତ୍କୁ ବି ଜେରା କରିପାରେ ହରିୟାଣା ହିସାର ପୋଲିସ ।
ଯେଉଁଭଳି ଭାବେ ପୁରୀ ବ୍ଲଗର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଭିଡିଓ ଭାଇରାଲ ହେଲା, ସେହିଭଳି ଭାବେ ସୌମିତଙ୍କ ସହ ଜ୍ୟୋତିଙ୍କ କୋଲକାତା ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଜ୍ୟୋତି ଆଉ ସୌମିତ୍ ବାରକପୁରରୁ ଧୋବି ଘାଟ ଥିବେ ଅନେକ ପର୍ଯ୍ୟଟନ ସ୍ଥଳୀ ସମେତ ବହୁ ସମ୍ବେଦନଶୀଳ ସ୍ଥାନ ବୁଲିଥିଲେ । କୋଲକାତାର ଆର୍ମି କ୍ୟାମ୍ପ, ଏୟାରବେସ, ହାୱଡ଼ା ରେଲୱେ ଷ୍ଟେସନ, ପାର୍କ ସର୍କସ୍ ଅତି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏହାର ତଥ୍ୟ ଲିକ୍ ହୋଇଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟେ ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ମାମଲାରେ ପ୍ରିୟଙ୍କା ସେନାପତିଙ୍କୁ ଘନ ଘନ ଜେରା । ଅଜ୍ଞାତ ସ୍ଥାନରେ ପ୍ରିୟଙ୍କାଙ୍କୁ ପଚରାଉଚରା କରୁଛି ପୁରୀ ପୁଲିସ । ଗତକାଲି ହରିୟାଣା ହିସାର ପୋଲିସ ଭିସି ଜରିଆରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଛି । ଏସପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୋଲିସ ଭିଡିଓ କନ୍ଫରେନ୍ସରେ ପଚରାଉଚରା କରିଥିବା ଜଣାପଡ଼ିଛି ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ କେମିତି ବନ୍ଧୁତା ହେଲା, ସେନେଇ ଗୁଡାଇତୁଡାଇ ପ୍ରଶ୍ନ କରାଯାଇଥିଲା । ସେ କେବେ ଓ କାହିଁକି ପାକିସ୍ତାନ ଯାଇଥିଲେ ସେନେଇ ପ୍ରଶ୍ନ କରିଛି ହିସାର ପୋଲିସ । ପ୍ରିୟଙ୍କା କର୍ତାରପୁର କରିଡର ଦେଇ ପାକିସ୍ତାନ ଯାଇଥିବାର ଫଟୋ ସୋସିଆଲ ମିଡ଼ିଆରେ ନିଜେ ପୋଷ୍ଟ କରିଥିଲେ । କର୍ତାରପୁର କରିଡର ସାମ୍ନାରେ ଛିଡା ହୋଇ ସେଲଫି ଉଠାଇଥିଲେ ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି । ହାତରେ ପାକିସ୍ତାନ ଟଙ୍କା ଓ ପାସପୋର୍ଟ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।