କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ମହିଳା ନିଜ ଦ୍ୱିତୀୟ ସ୍ୱାମୀଙ୍କଠାରୁ ଭରଣ ପୋଷଣ ଟଙ୍କା ନେବାକୁ ବାଧ୍ୟ । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଜଷ୍ଟିସ ବି.ବି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ତପୀଠ ଏହି ରାୟ ଶୁଣାଇଛନ୍ତି । ଧାରା ୧୨୫ ଆଧାରରେ ଜଣେ ବ୍ୟକ୍ତି ଏହି ଭରଣ ପୋଷଣ ଦେବାକୁ ମନା କରିପାରିବେ ନାହିଁ । ମହିଳା ଜଣକ ନିଜ ପ୍ରଥମ ସ୍ୱାମୀଙ୍କୁ ଆଇନ ଅନୁସାରେ ଛାଡ଼ପତ୍ର ନଦେଇଥିଲେ ବି ଦ୍ୱିତୀୟ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଟଙ୍କା ମାଗି ପାରିବେ ।
ମାମଲାର ଶୁଣାଣି କରି ଜଷ୍ଟିସ ବି.ବି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ତପୀଠ କହିଛନ୍ତି, ଧ୍ୟାନ ଦେବା ଉଚିତ୍ କି ଧାରା ୧୨୫ ସିଆରପିସି ଅଧିନରେ ପତ୍ନୀ ଭରଣ ପୋଷଣ ମାଗନ୍ତୁ କି ନମାଗନ୍ତୁ କିନ୍ତୁ ସ୍ୱାମୀ ପତ୍ନୀଙ୍କୁ ଭରଣ ପୋଷଣ ଦେବା ତାଙ୍କ କର୍ତ୍ତବ୍ୟ । ପୂର୍ବରୁ ଏହି ମାମଲାର ଶୁଣାଣି ବେଳେ ଅର୍ଥାତ ୧୩ ଏପ୍ରିଲ ୨୦୧୭ରେ ହାଇକୋର୍ଟ ମହିଳାଙ୍କୁ ଭରଣପୋଷଣ ପାଇଁ ମିଳିବାକୁ ଥିବା ୫ ହଜାର ଟଙ୍କାକୁ ରଦ୍ଦ କରିଦେଇଥିଲେ । ସେତେବେଳେ ହାଇକୋର୍ଟ କହିଥିଲେ କି ଯେତେ ଯାଏଁ ମହିଳା ଜଣକ ପ୍ରଥମ ସ୍ୱାମୀଙ୍କଠାରୁ ଆଇନ ଅନୁଯାୟୀ ଛାଡ଼ପତ୍ର ଆଣି ନାହାନ୍ତି, ତାଙ୍କୁ ଦ୍ୱିତୀୟ ବ୍ୟକ୍ତିଙ୍କ ସ୍ତ୍ରୀ ଭାବରେ ଗ୍ରହଣ କରାଯିବ ନାହିଁ ।
ମହିଳା ଜଣକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବା ସହ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇଦ୍ରାବାଦ ହାଇକୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିଲା । ବାସ୍ତବରେ ମହିଳା ଜଣକ ୧୯୯୯ ମସିହାରେ ପ୍ରଥମ ବିବାହ କରିଥିଲେ । ୨୦୦୦ ମସିହାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ୨୦୦୫ରେ ଦମ୍ପତି ଆମେରିକାରୁ ଫେରିବା ପରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ତା' ପରେ ଦୁହେଁ ଅଲଗା ହୋଇଯାଇଥିଲେ ।
ଏହାପରେ ମହିଳା ଜଣଙ୍କର ପଡ଼ୋଶୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହେବାର ଦୁଇ ଦିନ ପରେ ଅର୍ଥାତ ୨୭ ନଭେମ୍ବର ୨୦୦୫ ରେ ଉଭୟ ବାହା ହେଲେ । ଦୁହିଁଙ୍କର ଗୋଟିଏ କନ୍ୟା ସନ୍ତାନ ବି ଅଛି । କିନ୍ତୁ ଏ ବିବାହ ବି ଅଧିକ ଦିନ ଚାଲିପାରିଲା ନାହିଁ । ୨୦୧୨ରେ ଅଲଗା ହେବା ପରେ ସେ ଭରଣ ପୋଷଣ ଦେବା ପାଇଁ ଦାବି କରିଆସୁଛନ୍ତି ।
ସୁପ୍ରମିକୋର୍ଟଙ୍କ କହିବାନୁଯାୟୀ, ଦ୍ୱିତୀୟ ସ୍ୱାମୀ ଜଣକ ମହିଳାଙ୍କ ପ୍ରଥମ ସ୍ୱାମୀ ଅଛନ୍ତି ବୋଲି ଜାଣିବା ପରେ ବି ବିବାହ କରିଥିଲେ । ମହିଳା ଜଣକ ପ୍ରଥମ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ନେଇ ହୋଇଥିବା ଚୁକ୍ତି ବି ଦେଖାଇଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ ତାଙ୍କର ପ୍ରଥମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି । ହୁଏତ ଏହି ଚୁକ୍ତି ଆଇନଗତ ଛାଡ଼ପତ୍ର ନୁହେଁ । ଯେହେତୁ ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଉରଣ ପୋଷଣ ନେଉ ନାହାନ୍ତି । ତେଣୁ ଦ୍ୱିତୀୟ ସ୍ୱାମୀ ଭରଣପୋଷଣ ଦେବାକୁ ବାଧ୍ୟ ।