କନକ ବ୍ୟୁରୋ: ଭାରତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ପ୍ରଥମଥର ପାଇଁ ଭାରତ ଆସିଛନ୍ତି ଭାନ୍ସ । ପତ୍ନୀ ଉଷା ଓ ୩ ସନ୍ତାନଙ୍କ ଭାନ୍ସ ଗସ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ଭାରତ ସହ ଆମେରିକାର ଦ୍ବିପାକ୍ଷିକ ଆଲୋଚନା କରାଯିବ ।
ମିଳିଥିବା ସୂଚନା ଅନୁସାରେ ଭାନ୍ସଙ୍କ ଗସ୍ତ ସମୟରେ ଭାରତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ । ଟାରିଫ୍, ପ୍ରବାସୀ ଭାରତୀୟଙ୍କ ସ୍ଥାନାନ୍ତର ଚର୍ଚ୍ଚାର ମୁଖ୍ୟ ବିଷୟ ରହିବ । ଏଥିସହ ଅର୍ଥବ୍ୟବସ୍ଥା, ବ୍ୟାପାର ସହ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଚର୍ଚ୍ଚା ଓ ଚୁକ୍ତି ସ୍ବାକ୍ଷର କରାଯାଇପାରେ ।
ଗସ୍ତର ପ୍ରଥମ ଦିନରେ ପରିବାର ସହ ଅକ୍ଷରଧାମ ମନ୍ଦିର ବୁଲି ଦେଖିଛନ୍ତି ଆମେରିକା ଉପରାଷ୍ଟ୍ରପତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ବିକ୍ରମ ମିସ୍ରୀ, ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ରାଜସ୍ଥାନ ଜୟପୁରର ବିଭିନ୍ନ ଐତିହାସିକ ସ୍ଥଳ ବୁଲି ଦେଖିବେ ଏବଂ ବୁଧବାର ଆଗ୍ରା ଯିବେ ଭାନ୍ସ ।
ତେବେ ଉପରାଷ୍ଟ୍ରପତିଙ୍କ ଜେଡି ଭାନ୍ସଙ୍କ ଭାରତର କନେକ୍ସନ ମଧ୍ୟ ରହିଛି । ଭାନ୍ସଙ୍କ ପତ୍ନୀ ଉଷା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତେଲୁଗୁ ପରିବାରରୁ ଆସୁଥିବା ଭାରତୀୟ ଦମ୍ପତି ଲକ୍ଷ୍ମୀ ଓ ରାଧାକ୍ରିଷ୍ଣଙ୍କ ଝିଅ ଉଷା । ଦୀର୍ଘବର୍ଷ ପୂର୍ବରୁ ପୂରା ପରିବାର ଆମେରିକା ଚାଲିଯାଇଥିଲେ । ଆଇଆଇଟି ମାଡ୍ରାସରେ ପାଠ ଶେଷ କରି ଉଷାଙ୍କ ବାପା ଓ ମା' ଆମେରିକାର ସ୍ଥାୟୀ ନିବାସୀ ହୋଇଥିଲେ । ତେବେ ୨୦୧୪ରେ ଜେଡି ଭାନ୍ସଙ୍କ ସହ ହିନ୍ଦୁ ରୀତିନୀତି ସହ ବିବାହ କରିଥିଲେ ଉଷା । ପେସାରେ ଉଷା ଜଣେ ଆଇନଜୀବୀ । ଗତଥର ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବା ସମୟରେ ଭାନ୍ସ ଓ ପରିବାରକୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ।