କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା, ତା’ର ରିପୋର୍ଟିଂକୁ ନେଇ ଆମେରିକା ସରକାର ନ୍ୟୁୟର୍କ ଟାଇମ୍ସ ପତ୍ରିକାକୁ ତୀବ୍ର ନିନ୍ଦା କରିଛନ୍ତି ।

Advertisment

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଏହି ଆକ୍ରମଣକାରୀଙ୍କୁ “ମିଲିଟାଣ୍ଟ” (ଉଗ୍ରବାଦୀ) ବୋଲି ଉଲ୍ଲେଖ କରାଯାଇଥିଲା । ଯାହାକୁ ଆମେରିକାର ହାଉସ ଫରେନ୍ ଆଫେୟାର୍ସ କମିଟି “ବାସ୍ତବତାଠାରୁ ଦୂର” ବୋଲି ଅଭିହିତ କରି ଏହାକୁ “ଆତଙ୍କବାଦୀ ଆକ୍ରମଣ” ବୋଲି ସଂଶୋଧନ କରିଛି ।

ନ୍ୟୁୟର୍କ ଟାଇମ୍ସର ଶୀର୍ଷକ ଥିଲା, “କାଶ୍ମୀରରେ ଉଗ୍ରବାଦୀମାନଙ୍କ ଦ୍ୱାରା ଅତି କମରେ ୨୪ ଜଣ ପର୍ଯ୍ୟଟକ ଗୁଳିମାଡ଼ରେ ହତ୍ୟା” । ଏହି ଶୀର୍ଷକରେ “ମିଲିଟାଣ୍ଟ” ଶବ୍ଦର ବ୍ୟବହାରକୁ ଆମେରିକାର ହାଉସ ଫରେନ୍ ଆଫେୟାର୍ସ କମିଟି ତୀବ୍ର ସମାଲୋଚନା କରିଛି । କମିଟି ଏକ୍ସ ପୋଷ୍ଟରେ କହିଛି, “ହେ ନ୍ୟୁୟର୍କ ଟାଇମ୍ସ, ଆମେ ଏହାକୁ ତୁମ ପାଇଁ ଠିକ୍ କରିଦେଇଛୁ । ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା, ସରଳ ଓ ସ୍ପଷ୍ଟ । ଭାରତ କିମ୍ବା ଇସ୍ରାଏଲ, ଯେତେବେଳେ ଆତଙ୍କବାଦର କଥା ଆସେ, ନ୍ୟୁୟର୍କ ଟାଇମ୍ସ ବାସ୍ତବତାଠାରୁ ଦୂରେଇ ରହିଛି ।”