Bihar Politics : କାହିଁକି ଭୋଟ୍‌ ବର୍ଜନ କରିବେ ତେଜସ୍ବୀ ?

ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ବିଜେପି ଏବଂ ଶାସକ ଏନଡିଏର ଇଙ୍ଗିତରେ କାମ କରୁଛନ୍ତି । ପୂର୍ବରୁ ଭୋଟରମାନେ ସରକାର ବାଛୁଥିଲେ, ଏବେ ସରକାର ଭୋଟର ବାଛୁଛନ୍ତି ।

tejashwi-yadav

tejashwi-yadav Photograph: (Kanak News)

କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ନିଇତି ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ଖାସ୍‌ କରି ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଯାଦବ ଓ ତେଜ ପ୍ରତାପ ଯାଦବ ଏବେ ଚର୍ଚ୍ଚାରେ । ଲାଲୁ ତେଜପ୍ରତାପଙ୍କୁ ନିଜଠୁ ଦୂରେଇ ରଖିବା ପରେ ଏବେ ଆଗାମୀ ଦିନରେ ରାଜନୀତି କେଉଁ ମୋଡ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଆଉ ଏହାରି ଭିତରେ ବିହାରର ବିରୋଧୀ ଦଳର ନେତା ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ତେଜସ୍ୱୀ ଯାଦବ ଆଗାମୀ ବିଧାନସଭା ନିର୍ବାଚନକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ । ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ ସରକାରଙ୍କୁ ସହାଇବା ପରି ଏମିତି ସଂଶୋଧନ କରାଯାଇଛି । 

ନଜର ପକାନ୍ତୁ ତେଜସ୍ୱୀ ଯାଦବଙ୍କ ମୁଖ୍ୟ ଅଭିଯୋଗଗୁଡିକ ଉପରେ :

ବ୍ୟାପକ ଭୋଟରଙ୍କ ନାମ କାଟିଦିଆଯିବାର ଆଶଙ୍କା: ତେଜସ୍ୱୀ ଦାବି କରିଛନ୍ତି ଯେ ଏହି ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୫୦ରୁ ୮୦ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ହଟାଇ ଦିଆଯିବାର ଆଶଙ୍କା ରହିଛି। ଏହାର ଅର୍ଥ ପ୍ରତ୍ୟେକ ବୁଥରୁ ପ୍ରାୟ ୩,୦୦୦ରୁ ୪,୦୦୦ ଭୋଟରଙ୍କ ନାମ କଟିଯିବ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୫୬ ଲକ୍ଷ ଲୋକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯିବ, ଯେଉଁଥିରେ ୨୦ ଲକ୍ଷ ମୃତ, ୨୮ ଲକ୍ଷ ସ୍ଥାନାନ୍ତରିତ ଏବଂ ୭ ଲକ୍ଷ ଏକାଧିକ ସ୍ଥାନରେ ପଞ୍ଜୀକୃତ ଭୋଟର ଅଛନ୍ତି।

ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟାର୍ଗେଟ କରାଯିବାର ଅଭିଯୋଗ: ଆରଜେଡିର ଅଭିଯୋଗ ଅନୁଯାୟୀ, ଏହି ପ୍ରକ୍ରିୟା ମାଧ୍ୟମରେ ମୁଖ୍ୟତଃ ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଅନ୍ୟାନ୍ୟ ବଞ୍ଚିତ ସମାଜର ଲୋକଙ୍କୁ ଟାର୍ଗେଟ କରାଯାଉଛି । ତେଜସ୍ୱୀଙ୍କ କହିବା ଅନୁସାରେ, ଏହି ବର୍ଗର ଲୋକମାନେ ସାଧାରଣତଃ ବିରୋଧୀ ଦଳର ଭୋଟ ବ୍ୟାଙ୍କ ହୋଇଥିବାରୁ ସେମାନଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ଷଡ୍‌ଯନ୍ତ୍ର । 

ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ: ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ବିଜେପି ଏବଂ ଶାସକ ଏନଡିଏର ଇଙ୍ଗିତରେ କାମ କରୁଛନ୍ତି । ପୂର୍ବରୁ ଭୋଟରମାନେ ସରକାର ବାଛୁଥିଲେ, ଏବେ ସରକାର ଭୋଟର ବାଛୁଛନ୍ତି ।

ଏହି ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କର ମହାମେଣ୍ଟ 'ଇଣ୍ଡିଆ' ବ୍ଲକ୍ ସଂସଦ ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛି । ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ଏହିପରି ଜାଲିଆତି ମାଧ୍ୟମରେ ନିର୍ବାଚନ ଜିତିବାର ଯୋଜନା ଅଛି, ତେବେ ନିର୍ବାଚନ କରାଇବାର କୌଣସି ଅର୍ଥ ନାହିଁ ।  ସେ ତାଙ୍କର ସହଯୋଗୀ ଦଳ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନ ବର୍ଜନ କରିବା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ ଜଣେ ବିରୋଧୀ ଦଳର ନେତା ଏମିତି ଭୋଟ୍‌ ବର୍ଜନ ନିଷ୍ପତ୍ତି ନେଇଥିବାରୁ ଚର୍ଚ୍ଚା ହେବା ସ୍ବାଭାବିକ କଥା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe