କନକ ବ୍ୟୁରୋ : ସମ୍ଭଲ ହିଂସାର ହେବ ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚ । ଏଥିସହ ହିଂସା ପଛରେ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମ୍ମଦ ଓ ସାଂସଦ ଜିଆଉର ରେହେମାନଙ୍କ ପୁଅଙ୍କ ହାତ ଥିବା ପ୍ରମାଣ ମିଳିବା ପରେ ମାମଲା ରୂଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ମୋଟ ୨୭ଶହ ଜଣଙ୍କ ନାଁରେ ଏଫଆଇର କରାଯାଇଛି ଓ ୨୫ଜଣଙ୍କୁ ଗିରଫ କରାଯାଇଛି ।
ତ୍ତରପ୍ରଦେଶ ସମ୍ଭଲ ଉତେଜନା ଘଟଣାରେ ଆଜି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏଥିସହ ସ୍ଥିତିକୁ ଦେଖି ପୂରା ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । କିଛି ସ୍ଥାନରେ କର୍ଫ୍ୟୁ ଲଗାଯିବା ସହ ବାହାରୁ ଆସୁଥିବା ଯାନବାହନର କଡ଼ା ଯାଞ୍ଚ କରାଯାଉଛି । କିଛି ଦିନ ପାଇଁ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯିବା ସହ ପ୍ରଚାର ମଧ୍ୟ ବନ୍ଦ ରହିବ ।
ସେପଟେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ହିଂସା ପାଇଁ ଯୋଗୀ ସରକାରଙ୍କୁ ଦାୟୀ କରୁଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମାମଲାରେ ସୁପ୍ରମିକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ରବିବାର ଜାମା ମସଜିଦ ସର୍ଭେ ସମୟରେ ସ୍ଥାନୀୟ ବାସିନ୍ଦା ଓ ସର୍ଭେ ଟିମ ମଧ୍ୟରେ ପ୍ରଥମେ ସଂଘର୍ଷ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟଙ୍କର ରୂପ ନେଇଥିଲା । ପଥରମାଡ, ଲାଠିଚାର୍ଜରେ ସମ୍ବଲ ଥରିବା ସହ ଏବେ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ସର୍ଭେ ପାଇଁ ରବିବାର ସକାଳେ ସର୍ଭେ ଦଳ ପହଞ୍ଚିବା ପରେ କେତେକ ଲୋକ ଉକ୍ତ ଅଂଚଳରେ ଜମା ହୋଇ ସ୍ଲୋଗାନ ଦେବା ସହ ପଥରମାଡ଼ କରିଥିଲେ । ଏହା ପରେ ପୁଲିସ ମୃଦୁ ଲାଠିଚାଳନା କରି ଉତ୍ୟକ୍ତ ଲୋକମାନଙ୍କୁ ପଛକୁ ହଟାଇଦେଇଥିଲା । ସେପଟେ ଲୋକମାନଙ୍କ ପଥର ମାଡ଼ ଯୋଗୁଁ ଅନେକ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।
ତଥ୍ୟ ଅନୁସାରେ, ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ । ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।