ଗ୍ରିନ୍‌ଲାଣ୍ଡ କାହିଁକି ପାଲଟିଛି ବିଶ୍ୱର ନୂଆ ହଟସ୍ପଟ୍?

Advertisment

ଏହା ସହିତ ବରଫ ତଳେ କୋଟି କୋଟି ବର୍ଷ ଧରି ଲୁକ୍କାୟିତ ସମ୍ପଦ ସମ୍ପର୍କରେ ସୂଚନା ପ୍ରକାଶ ପାଉଛି ।

ଏହା ସହିତ ବରଫ ତଳେ କୋଟି କୋଟି ବର୍ଷ ଧରି ଲୁକ୍କାୟିତ ସମ୍ପଦ ସମ୍ପର୍କରେ ସୂଚନା ପ୍ରକାଶ ପାଉଛି ।

Greenland

Greenland Photograph: (GOOGLE)

କନକ ବ୍ୟୁରୋ: ଗ୍ରିନ୍‌ଲାଣ୍ଡ ହେଉଛି ବିଶ୍ୱର ସର୍ବବୃହତ ଦ୍ୱୀପ । ଏହାର ଜନସଂଖ୍ୟା ୫୭,୦୦୦ । ଏହା ଡେନମାର୍କର ଏକ ସ୍ୱୟଂଶାସିତ ଅଞ୍ଚଳ । ଆମେରିକା ଓ ରୁଷ ମଧ୍ୟରେ ଅବସ୍ଥିତ ଗ୍ରିନ୍‌ଲାଣ୍ଡ  ଧୀରେ ଧୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେବାକୁ ଯାଉଛି। ଏହା ମୁଖ୍ୟତଃ ବିଶ୍ୱତାପନରେ ବୃଦ୍ଧି ଓ ଆର୍କଟିକ ବରଫ ତରଳିବା ଯୋଗୁ ହୋଇଛି । ବରଫ ହ୍ରାସ ପାଇବା ସହିତ, ନୂତନ ସମୁଦ୍ର ପଥ ଖୋଲିବାରେ ଲାଗିଛି । ଏହା ସହିତ ବରଫ ତଳେ କୋଟି କୋଟି ବର୍ଷ ଧରି ଲୁକ୍କାୟିତ ସମ୍ପଦ ସମ୍ପର୍କରେ ସୂଚନା ପ୍ରକାଶ ପାଉଛି । ଏହା ଗ୍ରିନ୍‌ଲାଣ୍ଡକୁ ସାମରିକ, ବ୍ୟବସାୟ ଓ ପ୍ରାକୃତିକ ସମ୍ପଦ ପାଇଁ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କରି ବିଶ୍ବର ଏକ ନୂଆ ହଟସ୍ପଟ୍‌ରେ ପରିଣତ କରିଛି ।

ବିରଳ ଖଣିଜ ପଦାର୍ଥର ବିପୁଳ ଭଣ୍ଡାର

ବିରଳ ଖଣିଜ ପଦାର୍ଥ ପାଇଁ ଗ୍ରିନ୍‌ଲାଣ୍ଡ ବିଶ୍ୱରେ ଅଷ୍ଟମ ସ୍ଥାନରେ ଅଛି । ଏହାର ଆନୁମାନିକ ଭଣ୍ଡାର ପ୍ରାୟ ୧.୫ ନିୟୁତ ଟନ୍। ଅଞ୍ଚଳରେ ତୈଳ, ଗ୍ୟାସ, ବିରଳ ଖଣିଜ ପଦାର୍ଥ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଧାତୁର ବିପୁଳ ଭଣ୍ଡାର ରହିଛି। ବରଫ ତରଳିବା ସହିତ ଏହି ସମ୍ପଦଗୁଡ଼ିକ ବାହାର କରିବା ସହଜ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଗ୍ରିନ୍‌ଲାଣ୍ଡକୁ ଅଧିଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେତେବେଳେ ଏହାକୁ ଗମ୍ଭୀରତାର ସହ ନିଆଯାଇ ନଥିଲା । କେବଳ ରାଜନୈତିକ ଭାଷଣବାଜି ଭାବରେ ଏହାକୁ ଗ୍ରହଣ କରାଯାଇଥିଲା । ତେବେ ଇତିମଧ୍ୟରେ ପରିସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି । ଟ୍ରମ୍ପ ଏବେ ଗ୍ରିନ୍‌ଲାଣ୍ଡକୁ  ଆମେରିକା ସହିତ ମିଶାଇବାକୁ ଧମକ ଦେଉଛନ୍ତି । ଏହାକୁ ଏବେ ଏକ ଗମ୍ଭୀର ଚେତାବନୀ ଭାବରେ ଦେଖାଯାଉଛି । ଘନ ବରଫ ଯୋଗୁ ପୂର୍ବରୁ ଯେଉଁ ସମୁଦ୍ର ଅଞ୍ଚଳରେ ପହଞ୍ଚିବା ଅସମ୍ଭବ ଥିଲା, ସେଠାରେ ବିଶ୍ବତାପନ ବୃଦ୍ଧି ଯୋଗୁ ଜଳପଥ ଖୋଲିଯାଉଛି । ଫଳରେ ଆର୍କଟିକରେ ନୂତନ ବାଣିଜ୍ୟ ମାର୍ଗ ସୃଷ୍ଟି ହେଉଛି ଏବେ ବିଶ୍ୱର ବହୁ ପ୍ରମୁଖ ଶକ୍ତି ଆର୍କଟିକର ନିକଟତର ହେବାରେ ଲାଗିଛନ୍ତି । ରୁଷ, କାନାଡା, ଆମେରିକା ଭଳି ଦେଶ ଗ୍ରିନ୍‌ଲାଣ୍ଡ ପ୍ରାୟ ବିପରୀତ ଦିଗରେ ଅବସ୍ଥିତ । ଫଳସ୍ୱରୂପ, ଏହି ଅଞ୍ଚଳକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଉଛି । ଏହି ପ୍ରତିଯୋଗିତାର ତିନୋଟି ପ୍ରମୁଖ କାରଣ ଅଛି ।

ପ୍ରଥମରେ ତେଲ, ଗ୍ୟାସ୍ ଓ ବିରଳ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ବଢୁଥିବା ଆବଶ୍ୟକତା। ଦ୍ବିତୀୟରେ ବିଶ୍ୱରେ ବଢୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ପ୍ରତ୍ୟେକ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ତୃତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ବିଶ୍ୱତାପନ ଯୋଗୁ ଆର୍କଟିକ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ପୂର୍ବରୁ ବରଫ ଦ୍ୱାରା ଲୁଚି ରହିଥିବା ଅଞ୍ଚଳଗୁଡ଼ିକ ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଫଳରେ ବିଶ୍ୱ ମାନଚିତ୍ରରେ ହଠାତ୍ ଏକ ନୂତନ ଅଞ୍ଚଳ ଉଭା ହେବାରେ ଲାଗିଛି। ଏହି ନୂତନ ସୁଯୋଗକୁ ହାତଛଡ଼ା କରିବା ପାଇଁ ଦେଶଗୁଡ଼ିକ ଦୌଡରେ ଅଛନ୍ତି ।

ବିଶ୍ୱତାପନ ଯୋଗୁ ଗ୍ରିନ୍‌ଲାଣ୍ଡର ଗୁରୁତ୍ୱ ବୃଦ୍ଧି ପାଇଛି

ବିଶ୍ୱତାପନ ଆର୍କଟିକରେ ନୂତନ ସାମୁଦ୍ରିକ ପଥ ସୃଷ୍ଟି କରୁଛି ଯାହାକୁ ବାଣିଜ୍ୟ ଜାହାଜ ବ୍ୟବହାର କରିପାରିବେ। ଏହି ପଥଗୁଡ଼ିକ ଏସିଆ, ୟୁରୋପ ଓ ଆମେରିକା ମଧ୍ୟରେ ଯାତ୍ରାକୁ ସହଜ ଓ ଶସ୍ତା କରିପାରିବ । ତେଣୁ ପ୍ରମୁଖ ଶକ୍ତିଗୁଡ଼ିକ ଏବେ ଗ୍ରିନ୍‌ଲାଣ୍ଡ ଉପରେ ନଜର ରଖିଛନ୍ତି । ଫଳରେ ଗ୍ରିନ୍‌ଲାଣ୍ଡ ଆଉ କେବଳ ଏକ ଦୁର୍ଗମ ବରଫ ଆଚ୍ଛାଦିତ ଅଞ୍ଚଳ ନହୋଇ  ଧୀରେ ଧୀରେ ବିଶ୍ୱ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି । ଗ୍ରିନ୍‌ଲାଣ୍ଡ  ଫ୍ରାନ୍ସ, ବ୍ରିଟେନ, ସ୍ପେନ୍, ଇଟାଲୀ ଏବଂ ଜର୍ମାନୀ ଭଳି ଦେଶଗୁଡ଼ିକର ମିଳିତ କ୍ଷେତ୍ରଫଳ ଅପେକ୍ଷା ବଡ଼। ଯଦି ଟ୍ରମ୍ପ କେବେ ଗ୍ରିନ୍‌ଲାଣ୍ଡକୁ ନିଜ ସହିତ ମିଶାଇ ଦିଅନ୍ତି, ତେବେ ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ଅଞ୍ଚଳ ହେବ । ଏହା ଆଲାସ୍କା ଏବଂ କାଲିଫର୍ନିଆ ଭଳି ବଡ଼ ରାଜ୍ୟ ଅପେକ୍ଷା ବଡ଼ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe