କନକ ବ୍ୟୁରୋ: ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି ବିଭିନ୍ନ ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ସହ ମୁହାଁମୁହିଁ ହେବାକୁ ନେଇ ବିବାଦୀୟ ରହି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ପିଏଚ୍‌ଡି ଛାତ୍ରୀ ରାଜ୍ୟପାଳଙ୍କଠାରୁ ଡିଗ୍ରି ଓ ମାନପତ୍ର ନେବାକୁ ମନା କରିଦେଇଛନ୍ତି । ତାମିଲନାଡୁର ମନୋନମନିୟମ ସୁନ୍ଦରନାର ବିଶ୍ବବିଦ୍ୟାଳୟର ୩୨ ତମ ଦୀକ୍ଷାକ୍ତ ସମାରୋହରେ ପିଏଚଡି ଛାତ୍ରୀ ଜିନ୍ ଯୋସେଫ ରାଜ୍ୟପାଳଙ୍କଠାରୁ ଡିଗ୍ରି ନେବାକୁ ମନା କରିବା ସହ ମଞ୍ଚ ଉପରେ କୁଳପତି ଏନ୍ ଚନ୍ଦ୍ରଶେଖରଙ୍କଠାରୁ ଡିଗ୍ରି ନେଇଥିଲେ ।

Advertisment

ନାଗରକୋଇଲ ବାସିନ୍ଦା ଜିନ୍ ପରେ କହିଛନ୍ତି, ରାଜ୍ୟପାଳ ତାମିଲନାଡୁ ଓ ତାମିଲମାନଙ୍କ ବିରୋଧରେ କାମ କରୁଛନ୍ତି । ସେଥିପାଇଁ ମୁଁ ତାଙ୍କଠାରୁ ଡିଗ୍ରି ନେବାକୁ ପସନ୍ଦ କରିନଥିଲି । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରବି ତାଙ୍କୁ ଫଟୋ ଉଠାଇବାକୁ ହାତ ଠାରି ଡାକୁଛନ୍ତି, କିନ୍ତୁ ଜିନ୍ ସେଠାରେ ନ ଅଟକି କୁଳପତିଙ୍କ ନିକଟରେ ଛିଡ଼ା ହୋଇ ଫଟୋ ଉଠାଉଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଥିବା ବେଳେ ଲୋକମାନେ ରାଜନୈତିକ ରଙ୍ଗ ଦେବାକୁ ଭୁଲି ନାହାନ୍ତି । ସୂଚନାଯୋଗ୍ୟ, ରାଜ୍ୟପାଳ ରବି ବହୁ ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ବିରୋଧ କରିଥାନ୍ତି । ଏପରିକି ଅନେକ ବିଧେୟକକୁ ଦୀର୍ଘଦିନ ପର୍ଯ୍ୟନ୍ତ ମଞ୍ଜୁରୀ ନଦେବାକୁ ନେଇ ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏକ ଇଞ୍ଜିନିୟରିଂ କଲେଜରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ସେ ବିବାଦକୁ ଆସିଥିଲେ ।