କନକ ବ୍ୟୁରୋ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଧମକପୂର୍ଣ୍ଣ ଅଡିଓକୁ ନେଇ ସରଗରମ ରାଜନୀତି । ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଆଳରେ ଅଜିତ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି ।
ଗୋଟେପଟେ ମନ୍ତ୍ରୀଙ୍କ ପାୱାର୍, ଅନ୍ୟପଟେ ଅଧିକାରୀଙ୍କ ସ୍ୱର । କ୍ଷମତାର ବଳ, ବର୍ଦ୍ଦିର ଆତ୍ମସମ୍ମାନ ମଧ୍ୟରେ ହୋଇଥିବା ଏହି ଯୁକ୍ତି ବର୍ତ୍ତମାନ କେବଳ ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ କରିନି ବରଂ ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଛି । ମହାରାଷ୍ଟ୍ରର ସୋଲାପୁରର ଜିଲ୍ଲାର କୁରୁଡ଼ୁ ଗାଁର ମହିଳା ଆଇପିଏସ୍ ଅଧିକାରୀ ଅଞ୍ଜନା କ୍ରିଷ୍ଣା । ନିର୍ଦ୍ଦେଶ ଦେବା ଆଳରେ ଧମକ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ପୂରା ଘଟଣା ବେଆଇନ ବାଲି ଖନନକୁ ନେଇ । ସଡ଼କ ନିର୍ମାଣ ନାଁରେ ବେଆଇନ ମାଟି ଖୋଳା ହେଉଥିବା ଅଭିଯୋଗର ତଦାରଖ କରିବାକୁ ଗାଁରେ ପହଞ୍ଚିଲେ ଅଧିକାରୀ । ନିର୍ମାଣ କାମ ରୋକିବାରୁ ଆଇପିଏସ୍ ଅଧିକାରୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଜଣେ ଏନ୍ସିପି କର୍ମୀ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଫୋନ ଲଗାଇବା ପରେ ମହିଳା ଅଧିକାରୀ ଅଜିତ ପାୱାରଙ୍କ ସ୍ୱର ଜାଣିପାରୁନଥିବା ଶାଳୀନତାର ସହ କହୁଥିବାବେଳେ ସେପଟୁ ଅଜିତ ନିର୍ଦ୍ଦେଶ ଦେବା ଆଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଉଛନ୍ତି ।
ଅଞ୍ଜନା କ୍ରିଷ୍ଣା କର୍ମୀଙ୍କୁ ଫୋନ ବଦଳରେ ତାଙ୍କୁ ଫୋନ କରି କଥା ହୁଅନ୍ତୁ ବୋଲି ଅଜିତଙ୍କୁ କହିଥିଲେ, ଯାହାକୁ ଶୁଣି ଉତକ୍ଷିପ୍ତ ହେବା ସହ ମହିଳା ଅଧିକାରୀଙ୍କୁ ଧମକ ଦେବାକୁ ମଧ୍ୟ ପଛାଇନଥିଲେ ଉପମୁଖ୍ୟମନ୍ତ୍ରୀ । ତେବେ ପୂରା ଘଟଣା ଭାଇରାଲ ହେବା ପରେ ଏନ୍ସିପି ଯୁକ୍ତି ରଖିଛି । ଭିଡିଓକୁ ଅତିରଞ୍ଜିତ କରି ପରିବେଷଣ କରାଯାଇଛି କହି ଦଳ ସଫେଇ ଦେଇଛି ।
ଏବେ ପ୍ରଶ୍ନ ଉଠୁଛି ସରକାରୀ କାମରେ ନେତା, ମନ୍ତ୍ରୀ ବାଧା ଦେବା କେତେଦୂର ଠିକ ? ଆଇନଠୁ କ’ଣ ରାଜନୀତି ଊର୍ଦ୍ଧ୍ୱରେ ? ଗୋଟେ ପଟେ ମହିଳା ଅଧିକାରୀ ନିଜ କାମ କରୁଛନ୍ତି ସେପଟେ ଜନଶୁଣାଣି ଆଳରେ ଦ୍ୱାହି ଦେଉଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଘଟଣାରେ କିଏ ଠିକ, କିଏ ଭୁଲ ସେକଥା ପୂରା ଛାନଭିନ ପରେ ଜଣାପଡିବ । କେରଳ କ୍ୟାଡର ଆଇପିଏସ୍ ଅଞ୍ଜନା କ୍ରିଷ୍ଣା ବତ୍ତର୍ମାନ ସୋଲାପୁରରେ ଡିଏସ୍ପି ଭାବେ କାର୍ଯ୍ୟରତ ।