କନକ ବ୍ୟୁରୋ: ମୋଦୀ ଯିବେ ବୋଲି ମମତା ଯିବେନି । ପଶ୍ଚିମବଙ୍ଗରେ ବଢ଼ିଲା ମେଟ୍ରୋ ରାଜନୀତି । ଅବଶ୍ୟ ପ୍ରଧାନମନ୍ତ୍ରୀ ମେଟ୍ରୋ ଉଦଘାଟନ କରିବା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମମତାଙ୍କୁ ଚିଠି ଲେଖି ନିମନ୍ତ୍ରଣ ଦେଇଛନ୍ତି । ହେଲେ ଏହି କାର୍ଯ୍ୟକ୍ରମରେ ମମତା ସାମିଲ ହେବେନି ବୋଲି ଜଣାପଡ଼ିଛି । କଥାହେଲା, କେନ୍ଦ୍ର ସରକାରଙ୍କୁ ଏବେ ଜୋରଦାର ବିରୋଧ କରୁଛନ୍ତି ମମତା । ଯାହାର ଝଲକ୍ ମେଟ୍ରୋ ପ୍ରକଳ୍ପର ଶୁଭଉଦଘାଟନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
କଲିକତା ମେଟ୍ରୋକୁ ନେଇ ବଢ଼ିଲା ରାଜନୀତି
ମୋଦୀ ଉଦଘାଟନ କରିବେ, ମମତା ଯିବେ
ବିଧାନସଭା ନିର୍ବାଚନ ପୂର୍ବରୁ ବଢ଼ିଲା ରାଜନୀତି
ଅଗଷ୍ଟ ୨୨ରେ କଲିକତାର ମେଟ୍ରୋ ପ୍ରକଳ୍ପ ଉଦଘାଟନ
ମୋଦୀଙ୍କ ସହ ଯିବେ ରେଳମନ୍ତ୍ରୀ
ଆସିବେନି ରାଜ୍ୟର ମୁଖ୍ୟମନ୍ତ୍ରୀ
ଅଗଷ୍ଟ ୨୨ରେ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଗାପୂଜା ପୂର୍ବରୁ ମେଟ୍ରୋ ପ୍ରକଳ୍ପର ଶୁଭଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଅଗଷ୍ଟ ୨୨ ତାରିଖରେ କଲିକତା ପାଇଁ ତିନୋଟି ମେଟ୍ରୋ ଲାଇନର ଶୁଭାରମ୍ଭ କରିବେ, ଯାହାକୁ ଦୁର୍ଗା ପୂଜା ପୂର୍ବରୁ ଏକ "ଐତିହାସିକ ଉପହାର" ଭାବେ ବିବେଚନା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:
୧. ଗ୍ରୀନ୍ ଲାଇନ୍: ଏହା ଭାରତର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଭାବେ ପରିଚିତ। ସିଆଲ୍ଦା-ଏସପ୍ଲାନେଡ୍ ସେକ୍ସନର ଉଦଘାଟନ ପରେ ଏହି ଲାଇନ୍ ହାୱଡା ମଇଦାନରୁ ସଲ୍ଟଲେକ୍ ସେକ୍ଟର-୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।
୨. ଅରେଞ୍ଜ୍ ଲାଇନ୍: ହେମନ୍ତ ମୁଖୋପାଧ୍ୟାୟ (ରୁବି କ୍ରସିଂ)ରୁ ବେଲେଘାଟା ପର୍ଯ୍ୟନ୍ତ ଏହି ଲାଇନର ସମ୍ପ୍ରସାରଣ କରାଯାଇଛି।
୩. ୟେଲୋ ଲାଇନ୍: ନୋଆପଡ଼ାରୁ ଜୟ ହିନ୍ଦ ପର୍ଯ୍ୟନ୍ତ ଏହି ଲାଇନ୍ ସହରକୁ ବିମାନ ବନ୍ଦର ସହିତ ସିଧାସଳଖ ମେଟ୍ରୋ ସଂଯୋଗ କରାଯିବ ।
ତେବେ ଉଦଘାଟନୀ ସମାରୋହ ଜେସୋର ରୋଡ୍ ମେଟ୍ରୋ ଷ୍ଟେସନରେ ଅନୁଷ୍ଠିତ ହେବ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗଷ୍ଟ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଦେଇଛନ୍ତି । ତେବେ, ତୃଣମୂଳ କଂଗ୍ରେସ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ପଛରେ କିଛି ପ୍ରମୁଖ କାରଣ ରହିଛି । ପ୍ରଥମତଃ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ପ୍ରତି କଥିତ ଭେଦଭାବକୁ ନେଇ ଟିଏମସି କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ନେତାଙ୍କ ସହ ମଞ୍ଚ ବାଣ୍ଟିବାକୁ ମମତା ଚାହୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।
ଦ୍ୱିତୀୟରେ, ଟିଏମସି ନେତାଙ୍କ ଯୁକ୍ତି ହେଉଛି ଯେ ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ ମମତା ବାନାର୍ଜୀ କେନ୍ଦ୍ରୀରେ ରେଳମନ୍ତ୍ରୀ ଥିବା ସମୟରେ ଏହି ଯୋଜନା ହୋଇଥିଲା ଓ ଆର୍ଥିକ ଅନୁମୋଦନ ବି ପାଇଥିଲା । ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଜାଣିଶୁଣି ଏହି ପ୍ରକଳ୍ପ କରି ଶ୍ରେୟ ରାଜନୀତି କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି ।
ସେପଟେ, ରାଜ୍ୟ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି । ବିଜେପିର କହିଛି, ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ପଶ୍ଚିମବଙ୍ଗରେ ୪୩ଟି ରେଳ ପ୍ରକଳ୍ପ ବିଳମ୍ବିତ ହୋଇଛି। କେନ୍ଦ୍ର ସରକାର ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିବଦ୍ଧ ଏବଂ ବର୍ତ୍ତମାନ ୮୩,୭୬୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଟ୍ ଉପରେ ବିଧାନସଭା ନିର୍ବାଚନ ପୂର୍ବରୁ କଲିକତାରେ ରାଜନୀତି ଜୋର ଧରିଲାଣି । ଏବେ ସମୟ କହିବ ପ୍ରଧାନମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଉଛନ୍ତି କି ନାହିଁ ।