କନକ ବ୍ୟୁରୋ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ତେବେ ଯୁଦ୍ଧ ବିଭୀଷିକା ଭିତରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସଂକଟକୁ ନେଇ ପ୍ରକାଶ ପାଇଛି ଉଦବେଗ । ଏପଟେ ମଧ୍ୟପ୍ରାଚ୍ୟ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।
ଇରାନ ଆକାଶରେ ଏହା କଳାହାଣ୍ଡିଆ ମେଘ ନୁହେଁ । ଚତୁର୍ଦ୍ଦିଗ ଢାଙ୍ଗି ଦେଇଛି କଳା ଧୂଆଁ । ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା । କାର୍, ଛାତ, ରାସ୍ତାଘାଟ ପୂରା ଅଞ୍ଚଳରେ ଛାଇ ଯାଇଛି ମୋଟା ପରସ୍ତ । ଇରାନର ୩୦ଟି ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଅଗ୍ନିବର୍ଷା ପରେ, ଜାରି ହୋଇଛି ବିଷାକ୍ତ ଧୂଆଁ ଓ ଏସିଡ୍ ବର୍ଷା ସତର୍କତା। ଆଖି ପୋଡ଼ାଜଳା, ଫୁସଫୁସ ସମସ୍ୟା ଆଦି ଆଶଙ୍କାରେ ମାସ୍କ ପିନ୍ଧୁଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ : ବିଲେଇ କପାଳକୁ ଶିକା ଛିଣ୍ଡିଛି : ଯୁଦ୍ଧରେ ବିଶ୍ବ ଅସ୍ତବ୍ୟସ୍ତ, ଅସ୍ତ୍ରଶସ୍ତ୍ର ବିକି ଲାଭ କରୁଛି ଆମେରିକା
ଇରାନକୁ କଳା ଧୂଆଁ ଡରାଉଥିବା ବେଳେ, ଲେବାନନବାସୀଙ୍କ ନିଦ ହଜାଇଛି ଧଳା ଫସଫରସ । ଯୁଦ୍ଧରେ ନିଷିଦ୍ଧ ଧଳା ଫସଫରସ ଅସ୍ତ୍ର ପ୍ରୟୋଗ କରି ଇସ୍ରାଏଲ୍ ଯୁଦ୍ଧ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ୮ଶହ ଡିଗ୍ରୀ ଉତ୍ତାପ ବିଶିଷ୍ଟ ଏହି ରାସାୟନିକ ପଦାର୍ଥ ହାଡ଼ ମାଂସକୁ ବି ତରଳାଇ ଦିଏ । ଲେବାନନରେ ଏବେ ସୁଦ୍ଧା ୪ଶହ ମୃତ୍ୟୁ ଘଟିଥିବା ବେଳେ ଇରାନରେ ୧୩ଶହ ଜଣଙ୍କ ଜୀବନ ଗଲାଣି । ସେପଟେ ୧୦ ଦିନର ଯୁଦ୍ଧରେ ଇରାନର ୨୫ଟି ହସ୍ପିଟାଲ ଧ୍ୱଂସ ହେବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଆଜି ସଂସଦରେ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ରାଜ୍ୟସଭାରେ ବିବୃତି ରଖି କହିଛନ୍ତି, ଭାରତୀୟ ଦୂତାବାସ ଜରିଆରେ ଫସିଥିବା ଭାରତୀୟ ନାଗରିକଙ୍କୁ ସହାୟତା କରାଯାଉଛି । କୂଟନୈତିକ ଆଲୋଚନା ଉପରେ ଭାରତ ଗୁରୁତ୍ୱ ଦେଇଆସୁଛି । ତୈଳ ଯୋଗାଣ ସ୍ଥିତି ନେଇ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ସରକାରଙ୍କ ପ୍ରାଥମିକତା । ତେବେ ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର ।
ଆୟତୁଲ୍ଲା ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନ ନୂଆ ସର୍ବୋଚ୍ଚ ନେତା ଘୋଷଣା କରିଥିବା ବେଳେ, ଖୁବଶୀଘ୍ର ଆମେରିକୀୟ ସେନା ଇରାନ ସୀମା ଡେଇଁ ସ୍ଥଳଭାଗରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/09/war-2026-03-09-19-28-15.png)