କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କୁସ୍ତି ଖେଳାଳି ଭିନେଶ ଫୋଗାଟ । ଖୁବଶୀଘ୍ର ରାଜନୀତି ମୈଦାନକୁ ଓହ୍ଲାଇବେ ଭିନେଶ । ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି ।

ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହା ପରେ ଆକଳନ କରାଯାଉଛି କି ଭିନେଶ ଫୋଗଟ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିପାରନ୍ତି ।

ଗତ କିଛି ଦିନ ହେବ ଭିନେଶ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି ସମ୍ଭାବନା ଆହୁରି ବଢିଯାଇଛି । ବାସ୍ତବରେ, ୨୦୨୩ରୁ ଭାରତୀୟ ରେସଲରଙ୍କ ଦ୍ୱାରା ଚାଲିଥିବା ବିରୋଧର କାରଣ ହେଉଛି ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ତତ୍କାଳୀନ ଅଧ୍ୟକ୍ଷ ତଥା ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ଥିଲେ । କୁସ୍ତିଯୋଦ୍ଧାମାନେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ଏହି ସମୟରୁ ଭାଜପା ସହ କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଥିଲା ।

ଯେତେବେଳେ ପ୍ୟାରିସ ଅଲିମ୍ପିକ ଗେମ୍ସରେ ଏକ ବଡ ନିରାଶା ପରେ ରେସଲର ଭିନେଶ ଫୋଗଟ ଦେଶକୁ ଫେରିଥିଲେ, ସେତେବେଳେ ହରିୟାଣା କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡା ନିଜେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ସେ ନିଜ ଗାଁ ପର୍ଯ୍ୟନ୍ତ ରୋଡ ଶୋକୁ ମଧ୍ୟ ସମର୍ଥନ କରିଥିଲେ । ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କଂଗ୍ରେସ ଦିନେ କିମ୍ବା ଦୁଇ ଦିନ ହରିୟାଣାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ କୁସ୍ତିଯୋଦ୍ଧାଙ୍କର ଏହି ସାକ୍ଷାତ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି ।