କନକ ବ୍ୟୁରୋ : ବିବାଦଘେରରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । କୌଣସି ରାଜନୀତି ବା ପଦ ପାଇଁ ନୁହେଁ ବରଂ ପତ୍ନୀଙ୍କ ଧର୍ମକୁ ନେଇ ଜେଡି ଦେଇଥିବା ଟିପ୍ପଣୀ ଏଣିକି ବିବାଦ ବନିଛି ।

Advertisment

ମୋ ପତ୍ନୀ ଉଷା ଜଣେ ହିନ୍ଦୁ । ଧର୍ମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ସେ ହିନ୍ଦୁ ବୋଲି ମୋର କୌଣସି ଆପତ୍ତି ନା ଥିଲା, ନା ଅଛି ନା ରହିବ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏହି ସଫେଇ ସେହି ସମୟରେ ଆସିଛି ଯେବେ ତାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ନିକଟରେ ଏକ କାର୍ଯ୍ୟକ୍ରମରେ ଜେଡିଙ୍କ ବୟାନ ଖୁବ ଚର୍ଚ୍ଚା ସାଉଁଟିବା ସହ କ୍ରମଶ ବିବାଦର ରୂପ ନେଇଥିଲା । ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦିନେ ନା ଦିନେ ତାଙ୍କ ପତ୍ନୀ ଉଷା ଇସାଇ ଧର୍ମ ଗ୍ରହଣ କରିବେ । ସେ ହିନ୍ଦୁ ହୋଇଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚକୁ ଯାଆନ୍ତି । ଆମ ସନ୍ତାନ ଇସାଇ । ଜେଡିଙ୍କ ଏହି ବୟାନ ସୋସିଆଲ ମିଡିଆରେ ନିଆଁ ବେଗରେ ମାଡିବା ସହ ତାଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ସୋସିଆଲ ମିଡିଆ ୟୁଜରର୍ସ ଜେଡିଙ୍କୁ ଆକ୍ଷେପ କରିବା ସହ ପତ୍ନୀଙ୍କ ଧର୍ମକୁ ଭାନ୍ସଙ୍କ ଅପମାନ କରୁଥିବା ଅଭିଯୋଗ କରିବା ସହ ଆମେରିକା ଉପରାଷ୍ଟ୍ରପତିଙ୍କୁ ଭାରତରେ ପ୍ରବଳ ବିରୋଧ କରାଯାଉଛି ।

ଜେଡି ଭାନ୍ସ ଆମେରିକା ନିର୍ବାଚନ ଲଢ଼ିବା ପୂର୍ବରୁ ରିପ୍ଲବ୍ଲିକାନ ପାର୍ଟିର କିଛି ନେତାଙ୍କ ଟାର୍ଗେଟକୁ ଆସିଥିଲେ । ହିନ୍ଦୁ ମହିଳାଙ୍କୁ ବିବାହ କରିବାକୁ ନେଇ ତାଙ୍କୁ ବିରୋଧ କରିଥିଲେ ଦଳର ଅନେକ ନେତା । ସେପଟେ ମୃତ ରିପବ୍ଲିକାନ ନେତା ଚାର୍ଲି କର୍କଙ୍କ ପତ୍ନୀ ଏରିକାଙ୍କ ସହ ଜେଡି ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ପତ୍ନୀ ଉଷାଙ୍କଠୁ ଜେଡି ବିବାହ ବିଚ୍ଛେଦ କରିବାକୁ ଚାହୁଁଥିବା ଖବର ମଧ୍ୟରେ ଧର୍ମକୁ ନେଇ ତାଙ୍କ ଏଭଳି ବୟାନ ବିବାଦ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ ସେହି ବୟାନକୁ ଜେଡି ଭାନ୍ସଙ୍କ ବୟାନ ସହ ଯୋଡିକୁ ଦେଖାଯାଉଛି ଯେଉଁଠି ଟ୍ରମ୍ପ କହିଥିଲେ ସାରା ବିଶ୍ୱର ସମସ୍ତ ଇସାଇଙ୍କୁ ରକ୍ଷା କରିବେ ଆମେରିକା ସରକାର । ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି, ଭାନ୍ସଙ୍କ ଟିପ୍ପଣୀ, ଆମେରିକାରେ ଧାର୍ମିକ ରାଜନୀତି ତୀବ୍ର ସମ୍ଭାବନାକୁ ବଢ଼ାଇଛି । ୨୦୧୪ରେ ଉଷାଙ୍କୁ ବିବାହ କରିଥିଲେ ଜେଡି ଭାନ୍ସ ।