କନକ ବ୍ୟୁରୋ : ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷର ଜବାବରେ ପେଣ୍ଟାଗନ୍ ଇସ୍ରାଏଲ ପାଇଁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା ଟର୍ମିନାଲ ହାଇ-ଅଲଟିଚ୍ୟୁଡ୍ ଏରିଆ ଡିଫେନ୍ସ (ଥାଡ୍) ମୁତୟନ କରିବାକୁ ଘୋଷଣା କରିଛି । ନିକଟରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ଓ ଏହି ଅଞ୍ଚଳରେ ଶତ୍ରୁତା ବୃଦ୍ଧି ପରେ ଇସ୍ରାଏଲର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଥାଡ୍ ବ୍ୟାଟେରି ସହିତ ଏହି ସିଷ୍ଟମ୍‌କୁ ପରିଚାଳନା ପାଇଁ ପ୍ରାୟ ୧୦୦ ଆମେରିକୀୟ ସୈନିକଙ୍କୁ ନିୟୋଜିତ କରାଯିବ ।

Advertisment

ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପେଣ୍ଟାଗନ ଥାଡ୍ ସିଷ୍ଟମ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଡିଜାଇନ୍ କରାଯାଇଥିବା ଥାଡ୍ ଇସ୍ରାଏଲର ବର୍ତ୍ତମାନର ପ୍ରତିରକ୍ଷା ଭିତ୍ତିଭୂମିରେ ସୁରକ୍ଷାର ଆଉ ଏକ ସ୍ତର ଯୋଡ଼ିଛି । ଯାହା ଇରାନ କିମ୍ବା ତା’ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀଠାରୁ ଭବିଷ୍ୟତର କ୍ଷେପଣାସ୍ତ୍ର ବିପଦକୁ ହ୍ରାସ କରିବାରେ ସହାୟକ ହେବ । କ୍ଷୁଦ୍ର ଓ ମଧ୍ୟମ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିପଦର ମୁକାବିଲା ପାଇଁ ଥାଡ୍‌ର ଡିଜାଇନ୍ ଓ ନିର୍ମାଣ କରାଯାଇଛି ।

ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେବାକୁ ଚିନ୍ତା କରୁଥିବାବେଳେ ଆମେରିକାର ସହଯୋଗ କେବଳ ଇସ୍ରାଏଲକୁ ରକ୍ଷା କରିବା ପାଇଁ ନୁହେଁ ବରଂ ଏକ ରଣନୈତିକ ଫାଇଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ । ପୂର୍ବ ଭୂମଧ୍ୟସାଗର, ଲୋହିତ ସାଗର ଓ ଆରବ ସାଗରରେ ବିମାନବାହୀ ଜାହାଜ ଓ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଅତିରିକ୍ତ ଏୟାର ଡିଫେନ୍ସ ମୁତୟନ କରାଯାଇଛି ।

ସ୍ଥାନାନ୍ତର ଯୋଜନାରେ ସହାୟତା କରିବା ପାଇଁ ସାଇପ୍ରସରେ ଆମେରିକୀୟ ସୈନ୍ୟ ମୁତୟନ କରାଯାଇଛି । ଥାଡ୍ ସିଷ୍ଟମ୍ ସହ ଆମେରିକୀୟ ସୈନ୍ୟ ଓ ଉପକରଣ ମୁତୟନ ଇରାନ ଓ ହିଜବୁଲ୍ଲା ସମେତ ଏହାର ସହଯୋଗୀମାନଙ୍କୁ ଆହୁରି ଉତ୍ତେଜନାର ଗମ୍ଭୀର ପରିଣାମ ବିଷୟରେ ଏକ ବଡ଼ ସଂକେତ ଦେଉଛି ।

ଇସ୍ରାଏଲ ଇରାନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ଆମେରିକା ଆଉ ଇସ୍ରାଏଲକୁ ଆମେରିକାର ଖୋଲା ସମର୍ଥନ ଫଳରେ ବ୍ୟାକଫୁଟକୁ ଯିବ କି ଇରାନ । ସେପଟେ ଇରାନ ଧମକ ଦେଇଛି ଯଦି ଆକ୍ରମଣ ହୁଏ ତେବେ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ ।