କନକ ବ୍ୟୁରୋ : ନାଁ ଜାହିର ଖାଁ । ବୟସ ୨୦ ବର୍ଷ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶୁକଦେବପୁରର ୧୪ ନମ୍ବର ୱାର୍ଡ । ଗାଁରେ ଜଡ଼ିବୁଟି ଔଷଧ ଦେବା ସହ ବୈଦ୍ୟ କାମ କରନ୍ତି ବାପା ସାଜିଦ ଖାଁ । ତିନି ପୁଅଙ୍କ ମଧ୍ୟରେ ଜାହିର ମଝିଆଁ । ଉଚ୍ଚଶିକ୍ଷା ପାଇଁ ଜାହିରଙ୍କୁ ୪ ବର୍ଷ ବୟସରୁ ୟୁପିର ପ୍ରୟାଗରାଜ ପଠାଇଥିଲେ ବାପା । କିନ୍ତୁ ଏବେ ପୁଅ ଜାହିରକୁ ନକଲି ନୋଟ୍ ଛାପିବା ଅଭିଯୋଗରେ ଗିରଫ କରିଛି ପ୍ରୟାଗରାଜ ପୋଲିସ ।

Advertisment

ଅନ୍ୟତମ ଅଭିଯୁକ୍ତ ଓଡ଼ିଶାର ଜାହିରଠାରୁ ମିଳିଥିବା ତଥ୍ୟ ଅନୁସାରେ ମାଦ୍ରାସା ଖୋଲିବା ପରେ ଏମାନେ ଆଧାର କାର୍ଡ ଓ ପାନ କାର୍ଡ ପ୍ରିଣ୍ଟ କରନ୍ତି । ସନ୍ଧ୍ୟା ପରେ ଆରମ୍ଭ ହୁଏ ଦେଶଦ୍ରୋହର ବ୍ଲୁ- ପ୍ରିଣ୍ଟ । ସ୍ଥାନୀୟ ଡିସିପି ଦୀପକ ଭୁକେର ସୂଚନା ଦେଇଛନ୍ତି ଯେ, ୟୁପିର ଖୁଲଦାବାଦ ଓ କ୍ୟାଦଗଞ୍ଜ ବଜାରରେ ୪୫ ହଜାର ନକଲି ନୋଟ୍ ପ୍ରଵେଶ କରିବା ଯୋଜନାରେ ଥିଲେ । ଏମାନଙ୍କଠାରୁ କିଛି ଦେଶ ବିରୋଧୀ କାଗଜପତ୍ର ଓ ସିମକାର୍ଡ ମଧ୍ୟ ଜବତ ହୋଇଛି ।

ଏପରିକି ମାଦ୍ରାସାରେ ରହି ଓଝଓକୁ ଗୁପ୍ତ ତଥ୍ୟ ଦେଉଥିବା ସୁରାକ ପୋଲିସ ହାତରେ ଲାଗିଛି ଜାହିର ଫଟୋ । ମାଷ୍ଟରମାଇଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଖୁବଶୀଘ୍ର ଭଦ୍ରକର ବାସୁଦେବପୁର ଆସିବ ୟୁପି ପୋଲିସର ସ୍ପେଶାଲ ଟିମ । ସେହିପରି ମାମଲାରେ ଆତଙ୍କୀ ଲିଙ୍କ ସନ୍ଦେହରେ ଖୋଳତାଡ଼ କରିପାରେ ଏନଆଇଏ ।

ଭାରତୀୟ ନ୍ୟାୟ ସଂହିତାର ଧାରା ୧୭୮, ୧୭୯, ୧୮୦, ୧୮୧ ଓ ୧୮୨ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିଛିଦିନ ତଳେ ସିମବକ୍ସ ଘଟଣା ଓ ଏବେ ନକଲି ନୋଟର ଓଡ଼ିଶା ଲିଙ୍କ ରାଜ୍ୟ ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।