କନକ ବ୍ୟୁରୋ : ହରିଆଣା କଂଗ୍ରେସରେ ପୁଣି କନ୍ଦଳ । କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଟିକେଟ ମିଳିବା ପରେ କଂଗ୍ରେସକର୍ମୀ ଓ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯୋଗ୍ୟତା ଆଧାରରେ ଟିକେଟ ଦିଆଯାଉ ଚେହେରାରେ ନୁହେଁ ବୋଲି ଦାବି କରି କିଛି କର୍ମୀ ଜୋରଦାର ପ୍ରତିବାଦ କରିବା ସହ ହରିଆଣା କଂଗ୍ରେସ କାଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି ଓ ୫ବର୍ଷ ଧରି ଟିକେଟ ପାଇବାକୁ ଯଥେଷ୍ଟ ପରିଶ୍ରମ ସହ ଅପେକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ଟିକେଟ କାହାକୁ ମିଳିବା ଉଚିତ ବୋଲି କର୍ମୀ ଦାବି କରିଛନ୍ତି ।

Advertisment

କୁସ୍ତି ମୈଦାନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଷ୍ଟାର୍‌ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି । ହରିଆଣା ନିର୍ବାଚନରେ କଂଗ୍ରେସ ଉଭୟଙ୍କୁ ପ୍ରାର୍ଥୀ କରିଛି । ଶୁକ୍ରବାର ଦିନ ପ୍ରକାଶିତ ୩୧ ଜଣ ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ଜୁଲାନାରୁ ଭିନେଶ ଫୋଗାଟଙ୍କୁ ଟିକେଟ୍‌ ଦେଇଛି ।

ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହେବା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ । ସେପଟେ ବର୍ତମାନର ଅଧ୍ୟକ୍ଷ ସଂଜୟ ସିଂ ମଧ୍ୟ ନିର୍ବାଚନରେ ଭିନେଶ ଓ ବଜରଙ୍ଗ ପୁନିଆ ଯୋଗ ଦେବାକୁ ବିରୋଧ କରିଛନ୍ତି ।

ଏକଥା ଆଗକୁ ଅନୁମାନ କରାଯାଉଥିଲା ଯେ ଭିନେଶ ଓ ବଜରଙ୍ଗକୁ କଂଗ୍ରେସ ଟିକେଟ ଦେଇ ମାଷ୍ଟରଷ୍ଟ୍ରୋକ ଖେଳିପାରେ । କାରଣ ଦଳର ନଜର ଜାଠ ଭୋଟ ଉପରେ । ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ପଦକ ନ ଜିତିବି ଦେଶବାସୀଙ୍କ ମନ ଜିତିବାରେ ଭିନେଶ ସଫଳ ହେବା ପରେ କଂଗ୍ରେସ କାଳବିଳମ୍ବ ନକରି ଝୁଲନା ଆସନ ପାଇଁ ତାଙ୍କୁ ଟିକେଟେ ଦେଇଛି ।