କନକ ବ୍ୟୁରୋ: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍ । ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାତସଂଘ ସାଧାରଣ ସଭାରେ ଯୋଗ ଦେବା ପାଇଁ ସେ ଆମେରିକା ଗସ୍ତରେ ଅଛନ୍ତି ବୋଲି ଗଣମାଧ୍ୟମ କହୁଛି । ହେଲେ ଟ୍ରମ୍ପଙ୍କୁ ଭେଟି ଅନ୍ୟରାଷ୍ଟ୍ର ବିରୋଧରେ ଚୁଗୁଲି କରିବା ସହିତ ଆର୍ଥିକ ସହାୟତା ଆଣିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଆମେରିକା ଗସ୍ତରେ ପାକ୍ ପିଏମ୍
ଟ୍ରମ୍ପଙ୍କୁ ଭେଟିବେ…ଚୁଗୁଲି କରିବେ
କେତେ ମିଳିବ ଆର୍ଥିକ ସହାୟତା ବଢିଲା ଚର୍ଚ୍ଚା
ଟ୍ରମ୍ପଙ୍କୁ ଭେଟିବେ ଶେହେବାଜ
ମୁସ୍ଲିମ୍ ରାଷ୍ଟ୍ରର ନେତାଙ୍କୁ ବି ଭେଟିବେ
ଆମେରିକା…ପାକିସ୍ତାନକୁ ବର୍ଷବର୍ଷ ଧରି ଆର୍ଥିକ ସହାୟତା ଦେଇ ଆସୁଛି । ଆଉ ବଦଳରେ ଆମେରିକା ଯାହା କହୁଛି ପାକିସ୍ତାନ ସେଇୟା କରୁଛି । ଜାତିସଂଘ ସାଧାରଣ ସଭାରେ ଯୋଗ ଦେବା ବାହାନାରେ ଆମେରିକା ଗସ୍ତରେ ଶେହେବାଜ୍ ଅଛନ୍ତି ସତ ହେଲେ ଉଦ୍ଦେଶ୍ୟ ଆଉ କିଛି ରହିଛି । କୁହାଯାଉଛି ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଓ କୂଟନୈତିକ ଆଲୋଚନା ବି କରିବେ । ତେଣୁ ଏହି ଭେଟଘାଟକୁ ନେଇ ବଢିବାରେ ଲାଗିଛି ଆଲୋଚନା ।
ଦ୍ବିପାକ୍ଷିକ ଆଲୋଚନା ବେଳେ
କାଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି ଶେହେବାଜ
ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । କାରଣ ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଯେଉଁ ପ୍ରହାର କରିଥିଲା ତାହାକୁ ନେଇ ପାକିସ୍ତାନ ପୂରା ବିଶ୍ବରେ ନିନ୍ଦିତ ହୋଇଥିଲା । ଖାଲି ନିନ୍ଦିତ ହୋଇଥିଲା ତାହା ନୁହେଁ ବରଂ ପ୍ରତିଶୋଧର ଜ୍ବଳାରେ ଜଳୁଛି ପାକିସ୍ତାନ । ସେଇଥି ଲାଗି ତ ଟ୍ରମ୍ପଙ୍କ କାନରେ ମନ୍ତ୍ର ଫୁଙ୍କି ଭାରତ ବିରୋଧରେ କରୁଛି ଷଡ୍ଯନ୍ତ୍ର । ହେଲେ ଏସ୍ସିଓ ସମ୍ମିଳନୀରେ ଭାରତ-ଋଷିଆ-ଚୀନ୍ ଏକାଠି ହେବା ପରେ ଆମେରିକା ବି ଚିନ୍ତାରେ । ତେଣୁ କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କୌଣସି ବୟାନ ନଦେଇପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ମୋଟ୍ ଉପରେ ପାକିସ୍ତାନ-ଆମେରିକା ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ତାହା ଉପରେ ପୂରା ବିଶ୍ବର ନଜର ।