Putin Residence Photograph: (Kanak News)
କନକ ବ୍ୟୁରୋ : ପୁଟିନଙ୍କ ଘର ଉପରକୁ ଡ୍ରୋନ୍ ଆକ୍ରମଣ । ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିବା କହିଲା ରୁଷ୍ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୯୧ଟି ଦୂରଗାମୀ ଡ୍ରୋନ୍ ସହାୟତାରେ ୟୁକ୍ରେନ୍ ଆକ୍ରମଣ କରିଛି । କିନ୍ତୁ ସବୁଯାକ ଡ୍ରୋନ୍କୁ ମଝି ଆକାଶରେ ଧ୍ୱଂସ କରାଯାଇଥିବା କହିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ।
ନୋଭଗୋର୍ଡ ସ୍ଥିତ ପୁଟିନଙ୍କ ବାସଭବନ ଉପରେ ଏହି ଆକ୍ରମଣ ଉଦ୍ୟମ ହୋଇଥିବା କୁହାଯାଉଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ଲାଭରୋଭ୍ । ସେପଟେ ୟୁକ୍ରେନ୍ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏସବୁ ଭିତରେ ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଉଭୟ ନେତା ୟୁକ୍ରେନ୍ ସଂପର୍କରେ ସକାରାତ୍ମକ ଆଲୋଚନା କରିଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।
ବସିଲା ବୈଠକ, କିନ୍ତୁ ବାହାରିଲାନି ଆଶାନୁରୂପ ନିଷ୍କର୍ଷ । ଫ୍ଲୋରିଡାରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ ବି ଯୁଦ୍ଧ ବନ୍ଦ ନେଇ ଏବେବି ବାଟ ଫିଟିପାରିନି । ଫ୍ଲୋରିଡା ବୈଠକ ସରିବା ପରେ ଆମେରିକା ଓ ୟୁକ୍ରେନ ରାଷ୍ଟ୍ରପତି ମିଳିତ ସାମ୍ବାଦିକରେ ବିସ୍ତୁତ ସୂଚନା ଦେଇଛନ୍ତି । ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା । ସମସ୍ତ ଦିଗ ଉପରେ ବିସ୍ତୁତ ଚର୍ଚ୍ଚା । ଆମେରିକାର ୨୦ ସୂତ୍ରୀ ଶାନ୍ତି ଯୋଜନାରେ ୟୁକ୍ରେନ ସହମତ । ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ୧୦୦% ସହମତ । ସାମରିକ ଦିଗ ଉପରେ ଚର୍ଚ୍ଚା । ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା । ୟୁକ୍ରେନ ଶାନ୍ତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶାନ୍ତି ବୁଝାମଣାକୁ ୟୁକ୍ରେନ ସଂସଦରେ ଆଗତ କରିବ ୟୁକ୍ରେନ ।
ତେବେ ଡୋନବାସ୍ ପ୍ରସଙ୍ଗକୁ ନେଇ ସବୁ କିଛି ଅଟକି ରହିଛି । ଉଭୟ ଟ୍ରମ୍ପ୍ ଏବଂ ଜେଲେନସ୍କିଙ୍କ ଆଲୋଚନାରେ ଡୋନବାସ୍ ଅଞ୍ଚଳ ବଡ଼ ପ୍ରସଙ୍ଗ ଥିଲା । ଏହି ଅଞ୍ଚଳକୁ ଉଭୟ ରୁଷ ଓ ୟୁକ୍ରେନ ନିଜର ବୋଲି ଦାବି କରୁଛନ୍ତି । କୌଣସି ପରିସ୍ଥିତିରେ ଋଷ ସାଲିସ କରିବା ମୁଡରେ ନାହିଁ । ରୁଷର ଦାବି ୟୁକ୍ରେନ୍ ଖୁବଶୀଘ୍ର ଡୋନବାସ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ । ୟୁରୋପୀୟ ନେତା ଡୋନବାସ୍ ପ୍ରସଙ୍ଗରେ ଦୂରେଇ ରହନ୍ତୁ ।
ରୁଷ-ୟୁକ୍ରେନ ଯୁଦ୍ଧ ୪ ବର୍ଷରେ ପହଞ୍ଚିବାକୁ ଯାଉଛି । ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଆମେରିକା । ଏହି କ୍ରମରେ ରବିବାର ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭେଟିବା ପରେ ଯଦିଓ କୌଣସି ନିର୍ଣ୍ଣାୟକ ନିଷ୍କର୍ଷ ବାହାରିନି, ତଥାପି ବୈଠକ ଫଳପ୍ରଦ ବୋଲି ଆମେରିକା ଦାବି କରୁଛି ।
Follow Us